ହ୍ବାଟସଆପକୁ ଝଟକା, ସିସିଆଇ ନୋଟିସ୍ ଉପରେ ରୋକ୍ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ | News Room Odisha

ହ୍ବାଟସଆପକୁ ଝଟକା, ସିସିଆଇ ନୋଟିସ୍ ଉପରେ ରୋକ୍ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ହ୍ବାଟସଆପ୍ ର ନୂଆ ଗୋପନୀୟତା ନୀତିର ଯାଞ୍ଚ ସମ୍ପର୍କରେ ଫେସବୁକ୍ ଏବଂ ଏହି ମେସେଜିଂ ଆପକୁ ପ୍ରତିଯୋଗିତା ଆୟୋଗ (ସିସିଆଇ) ପଠାଇଥିବା ନୋଟିସ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଜଷ୍ଟିସ ଅନୁପ ଜୟରାମ ଭମ୍ବନୀ ଏବଂ ଜଷ୍ଟିସ ଜସମିତ ସିଂଙ୍କ ଏକ ଅବକାଶକାଳୀନ ବେଞ୍ଚ କହିଛନ୍ତି ଯେ ତଦନ୍ତରେ ଅଧିକ ପଦକ୍ଷେପ ନେବାକୁ ଏକ ଆବେଦନ ପୂର୍ବରୁ ଦାଖଲ ହୋଇସାରିଛି, ଯେଉଁଥିରେ ସିସିଆଇର ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରାଯାଇଛି।

ଏହା ଉପରେ ବେଞ୍ଚ ମେ ୬ରେ କୌଣସି ମଧ୍ୟବର୍ତ୍ତୀକାଳୀନ ଆଶ୍ବସ୍ତି ପ୍ରଦାନ କରିନଥିଲେ। ଏବଂ ଏହା ଉପରେ ଶୁଣାଣି ପାଇଁ ଜୁଲାଇ ୯କୁ ଦିନ ଧାର୍ଯ୍ୟ କରିଥିଲେ। ଜୁନ୍ ୨୧ରେ ଦେଇଥିବା ଆଦେଶରେ ବେଞ୍ଚ କହିଥିଲେ ଯେ ପୂର୍ବରୁ ଏହି ମାମଲାରେ ହୋଇଥିବା ଆବେଦନ ଏବଂ ବର୍ତ୍ତମାନର ଆବେଦନରେ ସମାନ ଯୁକ୍ତି ଦର୍ଶାଯାଇଛି। ଏଣୁ ସିସିଆଇଙ୍କ ଜୁନ୍ ୮ର ନୋଟିସ୍ ଉପରେ ରୋକ୍ ଲଗାଇବାକୁ ଉଚିତ୍ ମନେ କରୁନାହୁଁ |