ଦୂର ହେବ ଗଞ୍ଜାମର ବନ୍ୟା ସମସ୍ୟା: ୫ - ଟି ସଚିବ | News Room Odisha

ଦୂର ହେବ ଗଞ୍ଜାମର ବନ୍ୟା ସମସ୍ୟା: ୫ – ଟି ସଚିବ

ଦୂର ହେବ ଗଞ୍ଜାମ ଜିଲ୍ଲାର ପ୍ରମୁଖ ନଦୀ ଅବବାହିକାର ବନ୍ୟା ସମସ୍ୟା। ରଷିକୁଲ୍ୟା ନଦୀ କାରଣରୁ ପୁରୁଷୋତ୍ତମପୁର ଓ ଗଞ୍ଜାମ ବ୍ଲକରେ ପ୍ରତିବର୍ଷ ଉପୁଜୁଥିବା ବନ୍ୟା ଆଶଙ୍କାକୁ ଏଣିକି ଏଡାଇ ହେବ। ଏଥିପାଇଁ ୨୫୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କଂସାରୀଗଣ୍ଡ ଠାରେ ଋଷିକୁଲ୍ୟା ନଦୀ ଉପରେ ବ୍ୟାରେଜ୍ ନିର୍ମାଣ କରାଯିବା ଯୋଜନା ରହିଛି। ଏ ନେଇ ଅଞ୍ଚଳବାସୀ ଶୀଘ୍ର ଖୁସି ଖବର ଶୁଣିବାକୁ ପାଇବେ ବୋଲି ଆଶ୍ୱସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଶୁକ୍ରବାର ସେ ଭିଡିଓ କନଫରେନ୍ସିଂ ଜରିଆରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ ପରୋକ୍ଷରେ ସଙ୍କେତ ଦେଇଛନ୍ତି ଯେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ସକାଶେ ଇଛୁକ ଅଛନ୍ତି। ଏଣୁ ଅଞ୍ଚଳବାସୀଙ୍କ ଏହି ଦାବି ଶୀଘ୍ର ପୂରଣ ହେବାକୁ ଯାଉଛି।

ଭିଡିଓ କନଫରେନ୍ସିଂରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଭର୍ଚୁଆଲ୍ ବୈଠକ ବେଳେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକଙ୍କୁ ସ୍ମାରକପତ୍ର ଦେଇଥିଲେ। ପ୍ରକଳ୍ପ ଶୀଘ୍ର ନିର୍ମାଣ କରାଯାଉ ବୋଲି ନିବେଦନ ଜଣାଇଥିଲେ। ଏହା ପରେ ଶୁଭ ଖବର ଶୀଘ୍ର ପାଇବେ ବୋଲି ୫-ଟି ସଚିବ ଆଶ୍ୱାସନା ଦେଇଥିଲେ। ମୁଁ ଜିଲ୍ଲାପାଳ ଥିବା ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରକଳ୍ପ ନେଇ ଅବଗତ କରାଇଥିଲି ବୋଲି ସୂଚନା ଦେଇଥିଲେ ପାଣ୍ଡିଆନ୍।

କଂସାରୀଗଣ୍ଡରେ ବ୍ୟାରେଜ ହେଲେ ଜଳସେଚନ, ପାନୀୟ ଜଳଯୋଗାଣ, ଜଳ ସରଂକ୍ଷଣ ଏବଂ ବନ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଉଛି। ଏ ନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରି ସାରିଛି ବ୍ରହ୍ମପୁର ଜଳସେଚନ ଡିଭିଜନ୍। ଋଷିକୁଲ୍ୟା ନଦୀ ନିଜ ପ୍ରବାହିତ ଇଲାକାରେ ୩୦୦ ଫୁଟ ଓସାର ଥିବା ବେଳେ କଂସାରୀଗଣ୍ଡ ଠାରେ ମାତ୍ର ୮୦ ଫୁଟ ରହିଛି। ବନ୍ୟା ଜଳ ନିଷ୍କାସିତ ହୋଇନପାରି ଅନେକ ସମୟରେ ପ୍ରଳୟ ସୃଷ୍ଟି କରୁଛି। ଏଣୁ ବ୍ୟାରେଜ୍ ନିର୍ମାଣ ସାଙ୍ଗକୁ ମଲାଡ଼ ତାମ୍ପରା ପୁନରୁଦ୍ଧାର ଯୋଜନା ରହିଛି।

5T Secretary VK PandianChatrapur MLA Subash Chandra BeheraChief Minister Naveen PatnaikFlood SituationGanjamGanjam AdministrationGanjam Collector Vijay Amruta Kulange