ନୂଆ ଦଳ ଗଢ଼ିବେ ଅମରିନ୍ଦର ସିଂ, ବିଜେପି ସହ ମେଣ୍ଟ ନେଇ ଦେଲେ ସଙ୍କେତ | News Room Odisha

ନୂଆ ଦଳ ଗଢ଼ିବେ ଅମରିନ୍ଦର ସିଂ, ବିଜେପି ସହ ମେଣ୍ଟ ନେଇ ଦେଲେ ସଙ୍କେତ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜର ନୂଆ ଦଳ ସହ ଆଗାମୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ତେବେ ସେ ଦଳର ନାମ ଘୋଷଣା କରିନାହାଁନ୍ତି। ଦଳର ନାମ ମଧ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି କ୍ୟାପଟେନ କହିଛନ୍ତି। ଦଳର ନାମ ଓ ପ୍ରତୀକ ପାଇଁ ନିର୍ବାଚନ କମିଶନଙ୍କ ସହ ପରାମର୍ଶ କରାଯାଉଛି ବୋଲି ଅମରିନ୍ଦର କହିଛନ୍ତି । ରାଜ୍ୟରେ ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ନୂଆ ଦଳ ବିଜେପି ସହିତ ମେଣ୍ଟ କରିବା ସମ୍ଭାବନା ଅଛି ବୋଲି ମଧ୍ୟ ଅମରିନ୍ଦର ସଙ୍କେତ ଦେଇଛନ୍ତି।

ଚଣ୍ଡିଗଡ଼ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାପଟେନ କହିଛନ୍ତି ଯେ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି। ବିଏସଏଫର ଅଧିକାର କ୍ଷେତ୍ର ବଢ଼ାଇବା ନେଇ କେନ୍ଦ୍ରର ନିଷ୍ପତ୍ତି ସମ୍ପର୍କରେ କ୍ୟାପଟେନ କହିଛନ୍ତି ଯେ ତାଙ୍କ ପାଇଁ ପଞ୍ଜାବର ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ପଞ୍ଜାବରେ ଆତଙ୍କବାଦ କାର୍ଯ୍ୟକଳାପ ଦେଖାଦେଇଛି ବୋଲି ସେ କହିଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀ ଯିବେ। ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପିର ଭେଟେରାନ ନେତାମାନଙ୍କୁ ଭେଟିବେ। ସୂଚନାନୁସାରେ, କ୍ୟାପଟେନ ସେଠାରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ସହ ମଧ୍ୟ ଏକ ବୈଠକ କରିବେ।