ଐତିହ୍ୟ କ୍ୟାବିନେଟର ନିଷ୍ପତି : ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ନିଆଯିବ ପଦକ୍ଷେପ, ଗୋପବନ୍ଧୁଙ୍କ ଜନ୍ମସ୍ଥାନର ହେବ ସାମଗ୍ରିକ ବିକାଶ, ମୋଟ ୭ଟି ପ୍ରସ୍ତାବକୁ ମଂଜୁରୀ | News Room Odisha

ଐତିହ୍ୟ କ୍ୟାବିନେଟର ନିଷ୍ପତି : ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ନିଆଯିବ ପଦକ୍ଷେପ, ଗୋପବନ୍ଧୁଙ୍କ ଜନ୍ମସ୍ଥାନର ହେବ ସାମଗ୍ରିକ ବିକାଶ, ମୋଟ ୭ଟି ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ ଏକାଧିକ ଗୁରୁତ୍ୱପୂ୍‌ର୍ଣ୍ଣ ନିଷ୍ପତି ନିଆଯାଇଛି । ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି ।ଏଥିପାଇଁ କେନ୍ଦ୍ରର ଅନୁମୋଦନ ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଛି । ପ୍ରତ୍ନତତ୍ୱ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପଦବୀ ପାଇଁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି ।

ହେରିଟେଜ୍ ବୈଠକରେ ୭ଟି ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନକୁ ଭର୍ଚୁଆଲ୍ କରାଯିବା ପାଇଁ ନିଷ୍ପତି ହୋଇଛି । ସଂସ୍କୃତି ଭବନ ଦ୍ୱାରା ପରିଚାଳିତ ଏକାଡେମୀ ପୁରସ୍କାର ରାଶି ବି ବୃୃଦ୍ଧି କରାଯିବ । ଏହା ୫୦ ହଜାରରୁ ୨ ଲକ୍ଷ ଟଙ୍କା ବୃଦ୍ଧି ପାଇଁ ଐତିହ୍ୟ କ୍ୟାବିନେଟ ନିଷ୍ପତି ନେଇଛି । ଏକାଡେମୀ ସମ୍ବର୍ଧନା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସୁଆଣ୍ଡୋର ସାମଗ୍ରିକ ବିକାଶ କରିବା ପାଇଁ ଏକ ପ୍ରକଳ୍ପକୁ ବି ଅନୁମୋଦନ କରାଯାଇଛି । ଏଥିପାଇଁ ୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।