ମହାଦେବ ଆପ୍ ମାମଲା: ରଣବୀରଙ୍କ ପରେ କପିଳ ଶର୍ମା, ହୁମା କ୍ୟୁରେଶିଙ୍କୁ ଇଡି ସମନ | News Room Odisha

ମହାଦେବ ଆପ୍ ମାମଲା: ରଣବୀରଙ୍କ ପରେ କପିଳ ଶର୍ମା, ହୁମା କ୍ୟୁରେଶିଙ୍କୁ ଇଡି ସମନ

ନୂଆଦିଲ୍ଲୀ: ରଣବୀର କପୁରଙ୍କ ପରେ ମହାଦେବ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ହାସ୍ୟ ଅଭିନେତା କପିଳ ଶର୍ମା, ଅଭିନେତ୍ରୀ ହୁମା କୁରେଶି ଏବଂ ହିନା ଖାନଙ୍କୁ ମଧ୍ୟ ସମନ ପଠାଇଛି । ଏମାନଙ୍କୁ କେବେ ହାଜର ହେବାକୁ କୁହାଯାଇଛି ସେ ନେଇ କୌଣସି ସୂଚନା ନାହିଁ ।

ଦୁଇ ଦିନ ତଳେ ଏହି ମାମଲାରେ ଅଭିନେତା ରଣବୀର କପୁରଙ୍କୁ ଇଡି ନୋଟିସ୍ ପଠାଇ ଅକ୍ଟୋବର ୬ରେ କେନ୍ଦ୍ରୀୟ ସଂସ୍ଥାର ରାୟପୁର କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲା । ତେବେ ରଣବୀର ଇଡିକୁ ସପ୍ତାହେ ସମୟ ମାଗିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଇଡି ଓକିଲ ସୌରଭ ପାଣ୍ଡେ କହିଛନ୍ତି ଯେ ରଣବୀରଙ୍କୁ ଅକ୍ଟୋବର ୬ରେ ନୁହେଁ ବରଂ ଆଜି(ଅକ୍ଟୋବର ୫) ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ସେ ଆସିନଥିଲେ । ଅଧିକାରୀମାନେ ତାଙ୍କୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ତାଙ୍କ ଇମେଲ୍ ପାଇବା ପରେ ତାଙ୍କୁ ଦ୍ବିତୀୟ ନୋଟିସ୍ ପଠାଇବାକୁ ନିଷ୍ପତ୍ତି ହୋଇଛି ।

ରଣବୀରଙ୍କ ସହ ଅନେକ ବଲିଉଡ୍ ସେଲିବ୍ରିଟି ମହାଦେବ ବେଟିଂ ଆପ୍ ପ୍ରମୋଟର ତଥା ମାଲିକ ସୌରଭ ଚନ୍ଦ୍ରକରଙ୍କ ବିବାହରେ ଯୋଗ ଦେଇଥିଲେ । ଦୁବାଇରେ ଚନ୍ଦ୍ରକରଙ୍କ ବିବାହରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବଲିଉଡ୍ ସେଲିବ୍ରିଟିଙ୍କୁ ମଧ୍ୟ ବିବାହରେ ଯୋଗ ଦେବା ପାଇଁ ଟଙ୍କା ଦିଆଯାଇଥିଲା ।

ରଣବୀର‌ ମହାଦେବ ଆପ୍ ପାଇଁ ବିଜ୍ଞାପନ କରୁଥିଲେ । ଏଥିପାଇଁ ତାଙ୍କୁ ପ୍ରଚୁର ଟଙ୍କା ମିଳିଥିଲା । ରଣବୀର ଓ‌ ଅନ୍ୟ ସେଲିବ୍ରିଟିଙ୍କୁ ଚନ୍ଦ୍ରକର ହାଓ୍ବାଲା ମାଧ୍ୟମରେ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି ।

ମହାଦେବ ବେଟିଂ ଆପ୍ ମାମଲାରେ ନିକଟରେ ଇଡି ପକ୍ଷରୁ କୋଲକାତା, ରାୟପୁର, ଭୋପାଳ ଓ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା । ବିପୁଳ ନଗଦ ଟଙ୍କା ବି ଜବତ ହୋଇଥିଲା ।