ମେ ୨୧ ପରେ ଦେଶରେ ସର୍ବାଧିକ କୋଭିଡ୍ ମାମଲା, ଦିନକରେ ୭୫୨ ନୂଆ ରୋଗୀ ଚିହ୍ନଟ, ୪ ମୃତ | News Room Odisha

ମେ ୨୧ ପରେ ଦେଶରେ ସର୍ବାଧିକ କୋଭିଡ୍ ମାମଲା, ଦିନକରେ ୭୫୨ ନୂଆ ରୋଗୀ ଚିହ୍ନଟ, ୪ ମୃତ

ନୂଆଦିଲ୍ଲୀ: ନୂଆ ଭାରିଆଣ୍ଟ୍ ଜେଏନ୍.୧କୁ ନେଇ ଚିନ୍ତା ମଧ୍ୟରେ ଦେଶରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହେବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୫୨ଟି କରୋନା ମାମଲା ଆସିଛି । ମେ ୨୧ ପରେ ଏହି ସଂଖ୍ୟା ସର୍ବାଧିକ।

କରୋନା ମାମଲାରେ ବୃଦ୍ଧି ସହ ସକ୍ରିୟ ମାମଲା ମଧ୍ୟ ବଢ଼ି ଚାଲିଛି। ଶନିବାର ସକାଳ ୮ ଟା ସୁଦ୍ଧା ଅପଡେଟ୍ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ କୋଭିଡ୍ ମାମଲା ବର୍ତ୍ତମାନ ୩,୪୨୦ରେ ପହଞ୍ଚିଛି। ଏହାଛଡ଼ା ଚାରି କୋଭିଡ୍ ରୋଗୀ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ କେରଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନ ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, କରୋନା ସଂକ୍ରମଣ ଆରମ୍ଭରୁ ଏଯାବତ୍ ଦେଶରେ ୪,୪୪,୭୧,୨୧୨ ଲୋକ ସୁସ୍ଥ ହୋଇଛନ୍ତି। ଜାତୀୟ ସୁସ୍ଥତା ହାର ମଧ୍ୟ ୯୮.୮୧ ପ୍ରତିଶତ ରହିଛି। ମୃତ୍ୟୁ ହାର ରହିଛି ୧.୧୯ ପ୍ରତିଶତ । ମନ୍ତ୍ରଣାଳୟର ୱେବସାଇଟରେ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨୨୦.୬୭ କୋଟି ଡୋଜ୍ କୋଭିଡ ଟିକା ଦିଆଯାଇଛି।