ଲକ୍ଷ୍ନୌ, ଅହମ୍ମଦାବାଦ ଆଇପିଏଲର ଦୁଇ ନୂଆ ଦଳ, ଲକ୍ଷ୍ନୌକୁ ଆରପିଏସଜି, ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ କିଣିଲା | News Room Odisha

ଲକ୍ଷ୍ନୌ, ଅହମ୍ମଦାବାଦ ଆଇପିଏଲର ଦୁଇ ନୂଆ ଦଳ, ଲକ୍ଷ୍ନୌକୁ ଆରପିଏସଜି, ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ କିଣିଲା

ଦୁବାଇ: ବିଶ୍ବର ସବୁଠାରୁ ଧନଶାଳୀ ଟି-୨୦ କ୍ରିକେଟ୍ ଲିଗ୍ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ରେ ଆଉ ଦୁଇଟି ନୂଆ ଦଳ ଯୋଡି ହୋଇଛି। ଏହି ଦୁଇଟି ନୂଆ ଦଳ ହେଲେ ଲକ୍ଷ୍ନୌ ଏବଂ ଅହମ୍ମଦାବାଦ। ସୋମବାର ଏହି ଦୁଇ ନୂଆ ଦଳର ନାମ ଘୋଷଣା କରାଯାଇଛି ।

ବିସିସିଆଇ ସୂଚନା ଅନୁଯାୟୀ, ଆରପି ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ଲକ୍ଷ୍ନୌକୁ ୭୦୯୦ କୋଟିରେ କିଣିଥିବା ବେଳେ ସିଭିସି କ୍ୟାପିଟାଲ ଅହମ୍ମଦାବାଦ ଦଳକୁ ୫୬୦୦ କୋଟିରେ କିଣିଛି। ବିସିସିଆଇ ଉଭୟ ନୂଆ ଦଳରୁ ୧୨ ହଜାର କୋଟି ଆୟ କରିଛି ।

ପ୍ରାୟ ୨୨ ଟି କମ୍ପାନୀ ତଥା କର୍ପୋରେଟ ସଂସ୍ଥା ଏହି ଦୁଇ ଦଳ କିଣିବାକୁ ଆଗ୍ରହ ଦେଖାଇଥିଲେ। ବିଡରଙ୍କ ମଧ୍ୟରେ ଆଦାନୀ ଗ୍ରୁପ୍, ଇଂଲିଶ୍ ଫୁଟବଲ୍ କ୍ଲବ ମଞ୍ଚେଷ୍ଟର ୟୁନାଇଟେଡର ମାଲିକ ଗ୍ଲେଜର ପରିବାର,
ଟୋରେଣ୍ଟ ଫାର୍ମା, ଅରୋବିନ୍ଦ ଫାର୍ମା, ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍, ହିନ୍ଦୁସ୍ତାନ ଟାଇମ୍ସ ମିଡିଆ ଗ୍ରୁପ୍, ପୂର୍ବତନ ମନ୍ତ୍ରୀ ନବୀନ ଜିନ୍ଦଲଙ୍କ ଜିନ୍ଦଲ ଷ୍ଟିଲ, ରୋନି ସ୍କ୍ରେଓ୍ବାଲା ଏବଂ ତିନିଜଣ ଘରୋଇ ଇକ୍ୱିଟି ପାର୍ଟନରର ବ୍ୟକ୍ତି ବିଶେଷ ଜଡ଼ିତ ଥିଲେ। ତେବେ ଗୋଏଙ୍କା ଗ୍ରୁପ୍ ଏବଂ ସିଭିସି କ୍ୟାପିଟାଲ ସମସ୍ତଙ୍କୁ ପଛରେ ପକାଇ ଦୁଇ ନୂଆ ଆଇପିଏଲ୍ ଦଳ କିଣିବାକୁ ସଫଳ ହୋଇଥିଲେ।

ପୂର୍ବରୁ ଗୋଏଙ୍କା ଦୁଇ ବର୍ଷ ଧରି ପୁଣେ ଫ୍ରାଞ୍ଚାଇଜ୍ ରାଇଜିଂ ପୁଣେ ସୁପରଜିଆଣ୍ଟସ୍ (ଆରପିଏସ୍) ର ମାଲିକ ଥିଲେ ଏବଂ ସମ୍ପ୍ରତି ସେ ଆଇଏସ୍ଏଲ୍ (ଇଣ୍ଡିଆନ୍ ସୁପର ଲିଗ୍) ଫ୍ରାଞ୍ଚାଇଜ୍ ଏଟିକେ ମୋହନ ବାଗାନର ମଧ୍ୟ ମାଲିକ ଅଟନ୍ତି।

ଦୁଇ ନୂଆ ଦଳ ସାମିଲ ହେବା ପରେ ଆଇପିଏଲରେ ଦଳ ସଂଖ୍ୟା ଆସନ୍ତା ସିଜନରୁ ୧୦କୁ ବୃଦ୍ଧି ପାଇବ । ଆଇପିଏଲରେ ମ୍ୟାଚ୍ ସଂଖ୍ୟା ମଧ୍ୟ ୬୦ ରୁ ୭୪କୁ ବୃଦ୍ଧି ପାଇବ | ଦୁଇ ନୂଆ ଦଳ ମିଶିବା ସହ ଅତି କମରେ ୪୫ରୁ ୫୦ ନୂଆ ଖେଳାଳି ମଧ୍ୟ ଆଇପିଏଲରେ ଖେଳିବାକୁ ସୁଯୋଗ ପାଇବେ ।

BCCIIPL