ନୀରଜଙ୍କ ପୁଣି ଏକ ମାଇଲଖୁଣ୍ଟ, ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ବିଶ୍ବ ର଼୍ୟାଙ୍କିଙ୍ଗର ଶୀର୍ଷ ମାନ୍ୟତା ହାସଲ | News Room Odisha

ନୀରଜଙ୍କ ପୁଣି ଏକ ମାଇଲଖୁଣ୍ଟ, ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ବିଶ୍ବ ର଼୍ୟାଙ୍କିଙ୍ଗର ଶୀର୍ଷ ମାନ୍ୟତା ହାସଲ

ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ୍ସର ଗୋଲଡେନ୍ ବୟ ଓ ଅଲିମ୍ପିକ୍ ଚାମ୍ପିୟନ ନୀରଜ ଚୋପ୍ରାଙ୍କ ପୁଣି ଏକ ମାଇଲଖୁଣ୍ଟ । ବିଶ୍ୱ ଆଥଲେଟିକ୍ସ ପୁରୁଷ ଜାଭେଲିନ୍ ଥ୍ରୋ ର଼୍ୟାଙ୍କିଙ୍ଗରେ ନୀରଜ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ଭାରତର ପ୍ରଥମ ଟ୍ରାକ୍ ଓ ଫିଲ୍ଡ ଆଥଲେଟ୍ ଭାବେ ନୀରଜ ବିଶ୍ବ ର଼୍ୟାଙ୍କିଙ୍ଗର ଶୀର୍ଷ ମାନ୍ୟତା ହାସଲ କରିଛନ୍ତି ।

ସେ କ୍ୟାରିୟରରେ ପ୍ରଥମ ଥର ପାଇଁ ଶୀର୍ଷ ମାନ୍ୟତାରେ ପହଞ୍ଚିଛନ୍ତି। ନୀରଜ ଚୋପ୍ରା ୧୪୫୫ ପଏଣ୍ଟ ସହ ଏହି ତାଲିକାରେ ଶୀର୍ଷରେ ଅଛନ୍ତି | ସେ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ଗ୍ରାନାଡାର ଆଣ୍ଡରସନ୍ ପିଟର୍ସଙ୍କଠାରୁ ୨୨ ପଏଣ୍ଟ ଆଗରେ ରହିଛନ୍ତି ।

ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଚେକ ରିପବ୍ଲିକର ଜାକବ ଭେଡଲେଜ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୪୧୬ ପଏଣ୍ଟ ପାଇଛନ୍ତି |

୨୫ ବର୍ଷୀୟ ନୀରଜ ଚୋପ୍ରା ଗତ ବର୍ଷ ଅଗଷ୍ଟ ୩୦ରେ ବିଶ୍ବ ର଼୍ୟାଙ୍କିଙ୍ଗର ଦୁଇ ନମ୍ବରରେ ପହଞ୍ଚିଥିଲେ। ସେତେବେଳେ ସେ ପିଟର୍ସଙ୍କ ପଛରେ ଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ଜୁରିକରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍ ଫାଇନାଲରେ ନୀରଜ ଚାମ୍ପିୟନ ହୋଇଥିଲେ। ଏହି ସମ୍ମାନଜନକ ଟ୍ରଫି ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି ।

ମେ ୫ରେ ସେ ୮୮.୬୭ ମିଟର ଜାଭେଲିନ୍ ଫିଙ୍ଗି ଦୋହା ଡାଏମଣ୍ଡ ଲିଗ୍ ଜିତିଥିଲେ | ଚୋପ୍ରା ବର୍ତ୍ତମାନ ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଜୁନ୍ ୪ରେ ସେ ନେଦରଲ୍ୟାଣ୍ଡରେ ଏଫବିକେ ମ୍ୟାଚ୍ ରେ ଅଂଶଗ୍ରହଣ କରିବେ | ପୁଣି ଜୁନ୍ ୧୩ରେ ସେ ଫିନଲ୍ୟାଣ୍ଡର ତୁର୍କୁରେ ହେବାକୁ ଥିବା ପାଭୋ ନୁରମି ଗେମ୍ସରେ ମଧ୍ୟ ଭାଗନେବେ |