ଇଡବ୍ଲ୍ୟୁଏସ୍ ସଂରକ୍ଷଣ ପାଇଁ ବାର୍ଷିକ ଆୟସୀମା ଉପରେ ପୁନର୍ବିଚାର କରିବ କେନ୍ଦ୍ର, ନିଟ୍ କାଉନସେଲିଂ ଚାରି ସପ୍ତାହ ସ୍ଥଗିତ | News Room Odisha

ଇଡବ୍ଲ୍ୟୁଏସ୍ ସଂରକ୍ଷଣ ପାଇଁ ବାର୍ଷିକ ଆୟସୀମା ଉପରେ ପୁନର୍ବିଚାର କରିବ କେନ୍ଦ୍ର, ନିଟ୍ କାଉନସେଲିଂ ଚାରି ସପ୍ତାହ ସ୍ଥଗିତ

ନୂଆଦିଲ୍ଲୀ: ଇଡବ୍ଲ୍ୟୁଏସ୍ (ଆର୍ଥିକ ଦୁର୍ବଳ ବର୍ଗ) ସଂରକ୍ଷଣ ପାଇଁ ବାର୍ଷିକ ୮ ଲକ୍ଷ ଟଙ୍କାର ଆୟସୀମା ଉପରେ ପୁନର୍ବିଚାର କରିବ କେନ୍ଦ୍ର । ଇଡବ୍ଲ୍ୟୁଏସ୍ ସଂରକ୍ଷଣ ପାଇଁ ମାନଦଣ୍ଡ କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହା କହିଛନ୍ତି । ଇଡବ୍ଲ୍ୟୁଏସ୍ କୋଟା ପାଇଁ ଆୟ ସୀମା ଉପରେ ପୁନର୍ବିଚାର କରାଯିବ ଏବଂ ଏଥିପାଇଁ ଚାରି ସପ୍ତାହ ସମୟ ମାଗିଛି କେନ୍ଦ୍ର। ସେପର୍ଯ୍ୟନ୍ତ ନିଟ୍ ଅଲ ଇଣ୍ଡିଆ କୋଟାରେ କୌଣସି କାଉନସେଲିଂ ହେବ ନାହିଁ। କେନ୍ଦ୍ରକୁ ଚାରି ସପ୍ତାହ ସମୟ ଦେବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୧ରେ ସୁପ୍ରିମକୋର୍ଟ ମେଡିକାଲ୍ ପାଠ୍ୟକ୍ରମ ପାଇଁ ଇଡବ୍ଲ୍ୟୁଏସ୍ ସଂରକ୍ଷଣ ନେଇ କେନ୍ଦ୍ରର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ | ନିଟ୍ ଅଲ ଇଣ୍ଡିଆ କୋଟାରେ ଇଡବ୍ଲ୍ୟୁଏସ୍ କୋଟାରେ ସଂରକ୍ଷଣ ସୁବିଧା ପାଇବା ପାଇଁ ବାର୍ଷିକ ୮ ଲକ୍ଷ ଟଙ୍କା ଆୟ ନେଇ ସର୍ତ୍ତ ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ୍ ତଲବ କରିଥିଲେ ।