ରେଶମ ସହରବାସୀଙ୍କୁ ନବୀନଙ୍କ ନବବର୍ଷ ଭେଟି: ବିଇଏମସିରେ ଆଧୁନିକ ମାଛ ବଜାର, ବୁଣାକାର ସୋ'ରୁମ୍ ଓ ସେଲଫି ପଏଣ୍ଟ୍ ଉଦଘାଟିତ | News Room Odisha

ରେଶମ ସହରବାସୀଙ୍କୁ ନବୀନଙ୍କ ନବବର୍ଷ ଭେଟି: ବିଇଏମସିରେ ଆଧୁନିକ ମାଛ ବଜାର, ବୁଣାକାର ସୋ’ରୁମ୍ ଓ ସେଲଫି ପଏଣ୍ଟ୍ ଉଦଘାଟିତ

ବ୍ରହ୍ମପୁର : ରେଶମ ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବବର୍ଷର ଭେଟି। ସାଧାରଣ ଜନତାଙ୍କ ମନୋରଞ୍ଜନ ସମେତ ବିଶେଷ କରି ମତ୍ସ୍ୟଜୀବୀ ଓ ବୁଣାକାର ଗୋଷ୍ଠୀ ସକାଶେ ଭିତ୍ତିଭୂମି ଜନିତ ତିନୋଟି ଉନ୍ନୟନମୂଳକ ପ୍ରକଳ୍ପ ବିଇଏମସି ଆନୁକୂଲ୍ୟରେ ଉଦ୍‌ଘାଟିତ ହୋଇଛି। ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍ ଠାରେ ନୂତନ ଆଧୁନିକ ମାଛ ବଜାର (୨ କୋଟି ୭୫ ଲକ୍ଷ ଟଙ୍କା), ହରିଡ଼ାଖଣ୍ଡିସ୍ଥିତ ବାଲୁଙ୍କେଶ୍ଵର ମନ୍ଦିର ନିକଟରେ ରେଶମ ବୁଣାକାର ସୋ’ ରୁମ୍ ତଥା କର୍ମଶାଳା (୧ କୋଟି ୯୨ ଲକ୍ଷ ଟଙ୍କା) ଏବଂ ଗାନ୍ଧିନଗର ଉପର ରାସ୍ତା ଟ୍ରେକର୍ ଷ୍ଟାଣ୍ଡ୍ ନିକଟରେ ଏକ ସେଲ୍‌ଫି ପଏଣ୍ଟ (୧୧ ଲକ୍ଷ ଟଙ୍କା)କୁ ଲୋକାର୍ପିତ କରାଯାଇଛି।

ସହରରେ ବହୁ ମାଛ ବ୍ୟବସାୟୀ ରହିଥିବା ବେଳେ ସେମାନଙ୍କୁ ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା କରିବା ସହିତ ମତ୍ସ୍ୟଜାତ ସାମଗ୍ରୀକୁ ସୁରକ୍ଷିତ ରଖିବା ନେଇ ଶୀତଳ ଚ୍ୟାମ୍ବର ବ୍ୟବସ୍ଥା କରାଯାଇଛି। ଉକ୍ତ ବଜାରରେ ପ୍ରାୟ ୧୫୦ରୁ ଅଧିକ ମାଛ ବିକ୍ରେତା ବସି ସବୁ ଋତୁରେ ସୁବିଧାରେ ବିକ୍ରିବଟା କରିପାରିବେ। ପୂର୍ବରୁ ସେମାନେ ଖୋଲା ଆକାଶ ତଳେ ଜନଗହଳି ମଧ୍ୟରେ ଯାବତୀୟ ଅସୁବିଧା ସହ ବ୍ୟବସାୟ କରି ଆସୁଥିଲେ। ୨୦୨୨ ଆରମ୍ଭରୁ ସେମାନଙ୍କ ବ୍ଯବସାୟ ଅଧିକ ସୁରୁଖୁରୁରେ ହୋଇପାରିବ। ରେଶମ ସହର ପାଟ ବୁଣାକାରଙ୍କ ପାଇଁ ସୁପରିଚିତ। ଶତାଧିକ ବର୍ଷ ପରେ ବର୍ଷ ଧରି ବ୍ରହ୍ମପୁରୀ ପାଟ ବ୍ୟବସାୟୀ ସୁନାମ ଅର୍ଜନ କରି ଆସିଛନ୍ତି। ହେଲେ ସେମାନଙ୍କ ନିମନ୍ତେ ଏକ ଉନ୍ନତ ଭିତ୍ତିଭୂମିର ଅଭାବ ଥିଲା ଯାହା ଏବେ ପୂରଣ ହୋଇଛି। ଏହି କେନ୍ଦ୍ରରେ ବୁଣାକାରଙ୍କୁ ନୂତନ କୌଶଳ ଶିକ୍ଷା ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା ବ୍ୟବସ୍ଥା କରାଯାଇଛି। ସେହିପରି ସହରରେ ଅନେକ ସୋନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟକାରୀ କରିସାରିଥିବା ବିଇଏମ୍‌ସି ଏବେ ଲୋକଙ୍କ ଆମୋଦ ପ୍ରମୋଦ ସକାଶେ ଏକ ସେଲ୍‌ଫି ପଏଣ୍ଟ ନିର୍ମାଣ କରିଛି। ସହରବାସୀ ତଥା ସହରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ମହାନଗରକୁ ସୁନ୍ଦର କରିବା ଉଦ୍ଦେଶ୍ୟରେ ମୁକ୍ତା ଯୋଜନା ଅନ୍ତର୍ଗତ ଏହି ସେଲ୍‌ଫି ପଏଣ୍ଟ କରାଯାଇଛି। କୋଣାର୍କ ଚକ ସହିତ ଘାସରେ ତିଆରି ମୟୂର ଲୋକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

ପ୍ରକାଶଥାଉକି ମାଛ ବଜାର, ବୁଣାକାରଙ୍କ ସୋ’ ରୁମ୍‌କୁ ଗତ ମାସ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ ଯାହାକୁ ଏବେ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସକଙ୍କ ଦ୍ବାରା ଆନୁଷ୍ଠାନିକ ଉଦଘାଟନ କରାଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ବିକ୍ରମ ପଣ୍ଡା, ବିଜେଡି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଏମ୍‌ସି କମିଶନର ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ୍ ପ୍ରମୁଖ ଉପସ୍ଥିତ ଥିଲେ ।

BeMCBerhampurChief Minister Naveen PatnaikGanjam