୩ କୋଟିରେ ତପ୍ତପାଣି ଉଷ୍ମ ପ୍ରସ୍ରବଣ ନବକଳେବର | News Room Odisha

୩ କୋଟିରେ ତପ୍ତପାଣି ଉଷ୍ମ ପ୍ରସ୍ରବଣ ନବକଳେବର

ଦିଗପହଣ୍ଡି: ତାରାତାରିଣୀ ପୀଠ, ତାମ୍ପରା ଜଳକ୍ରୀଡ଼ା କେନ୍ଦ୍ର, ଗୋପାଳପୁର ଓ ପାତି ସୁନାପୁର ଯଥାକ୍ରମେ ସ୍ଥାୟୀ ଓ ଅସ୍ଥାୟୀ ଇକୋ ରିଟ୍ରିଟ୍, ବ୍ରହ୍ମପୁର ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ… ଆଉ ଏବେ ପ୍ରସିଦ୍ଧ ଉଷ୍ମପ୍ରସ୍ରବଣ ତପ୍ତପାଣି ପର୍ଯ୍ୟଟନ ସ୍ଥଳୀର ନବକଳେବର ହେବାକୁ ଯାଉଛି। ତପ୍ତପାଣିର ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ସହ ଏହି ଉଷ୍ଣପ୍ରସ୍ରବଣ ପର୍ଯ୍ୟଟନ କ୍ଷେତ୍ରର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥ ବିନିଯୋଗରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସମ୍ଭାରକୁ ବ୍ୟାପକ କରିବ।ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ବକ ଉନ୍ନୟନ ଫଳରେ ଦେଶ ବିଦେଶରୁ ପର୍ଯ୍ୟଟକ ଆକୃଷ୍ଟ ହୋଇ ଛୁଟି ଆସିବେ। ରାଜ୍ୟ ସମେତ ଗଞ୍ଜାମ ଜିଲ୍ଲା ବିଶେଷ କରି ସ୍ଥାନୀୟ ଲୋକଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଘଟିବ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସଜେଇ ହେବ ତପ୍ତପାଣି ଉଷ୍ମପ୍ରସବଣ। ଗଞ୍ଜାମ – ଗଜପତି ସୀମାବର୍ତ୍ତୀ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀକୁ ଅନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ସୁପରିଚିତ କରାଯିବ।

ଉନ୍ନୟନ ପ୍ରକଳ୍ପ ଶିଳାନ୍ୟାସ ଅବସରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ। ପାର୍କ, ସନ୍ତରଣାଗାର, ସେଲଫି ପଏଣ୍ଟ୍, ୱାଚ୍ ଟାୱାର୍, ଶିଶୁ ଉଦ୍ୟାନ, ବଜାର ଗୃହ,  ଆଲୋକୀକରଣ, ପାର୍କିଂ ସ୍ଥଳ, ପ୍ରାକୃତିକ ଝରଣା ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ଭଳି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି।

Chief Minister Naveen PatnaikGanjamOdisha GovernmentOdisha TourismTaptapani