ବରଗଡ଼ରେ ନକଲି ପିଏସ୍‌ଓ ଗିରଫ | News Room Odisha

ବରଗଡ଼ରେ ନକଲି ପିଏସ୍‌ଓ ଗିରଫ

ବରଗଡ଼: ନିଜକୁ ଏସ୍‌ପିଙ୍କ ପିଏସ୍‌ଓ ବୋଲି ପରିଚୟ ଦେଇ ଧମକ ଚମକ ଏବଂ ଦାଦାବଟି ଅସୁଲି କରୁଥିବା ଅଭିଯୋଗରେ ଟାଉନ୍ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ସ୍ଥାନୀୟ ଭିଏସ୍‌ଏସ୍‌ ନଗରର ସୌମ୍ୟରଂଜନ ଦାସ ।

ତା ପାଖରୁ ଏକ ନକଲି ଲାଇଟର ପିସ୍ତଲ ଏବଂ ଲୁହାରଡ଼ ଜବତ ହୋଇଛି। ଅଭିଯୁକ୍ତ ନାଁରେ ପୂର୍ବରୁ ବରଗଡ଼ ଟାଉନ୍‌ ଥାନାରେ ଏକାଧିକ ମାମଲା ରହିଛି। ସୂଚନାନୁସାରେ ସୌମ୍ୟରଂଜନ ଗତ ୧୬ ତାରିଖ ଗୁରୁଦ୍ବାର ଛକ ନିକଟସ୍ଥ ମାହେଶ୍ବରୀ ହୋଟେଲଠାରେ ପହଂଚିଥିଲା। ସେଠାରେ ନକଲି ପିସ୍ତଲ ଦେଖାଇ ଲୋକଙ୍କୁ ଧମକ ଚମକ ଦେଇ ଦାଦାବଟି ଅସୁଲି କରୁଥିଲା। ଏହା ପୂର୍ବରୁ କେନାଲ କଲୋନୀ ଛକଠାରେ ଅନ୍ୟ ୬ ଜଣ ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ସେ ଜାତୀୟ ରାଜପଥରେ ଯାଉଥିବା ଭାରୀଯାନକୁ ଅଟକାଇ ଡକାୟତି ପାଇଁ ଯୋଜନା କରୁଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ୫ ଜଣ ଦୁର୍ବୃତ୍ତ ଫେରାର ମାରିଥିଲେ। ସେଥିରେ ସୌମ୍ୟରଂଜନ ବି ସାମିଲ ଥିଲା। ଟାଉନ୍ ପୁଲିସ୍‌ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।