ସୋରଡ଼ାରେ ବଜ୍ରପାତ, ୨ ମହିଳା କୃଷି ଶ୍ରମିକଙ୍କ ଜୀବନ ଗଲା | News Room Odisha

ସୋରଡ଼ାରେ ବଜ୍ରପାତ, ୨ ମହିଳା କୃଷି ଶ୍ରମିକଙ୍କ ଜୀବନ ଗଲା

ଭଞ୍ଜନଗର: ରବିବାର ଅପରାହ୍ନରେ ବଜ୍ରପାତ ଘଟି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ ୨ ମହିଳା କୃଷି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାଇବନ୍ଧ ଗ୍ରାମର ଟିକିନା ସ୍ବାଇଁ ଓ ସୁରେଖାଦେଇପୁର ଗ୍ରାମର କୁମାରୀ ପ୍ରଧାନ। ଚାଷଜମିରେ କାମ କରୁଥିବା ବେଳେ ଆକସ୍ମିକ ବଜ୍ରାଘାତ ହେବାରୁ ଦୁଇ ମହିଳା ଘଟଣାସ୍ଥଳରେ ଟଳି ପଡ଼ିଥିଲେ।

ଟିକିନା ଆଉ କିଛି ମହିଳା ସହ ମିଶି ନିଜ ଚାଷଜମିରେ କାମ କରୁଥିଲେ। ରବିବାର ଅପରାହ୍ନ ୫ଟାରେ ହଠାତ୍ ବଜ୍ରପାତ ହେବାରୁ ରାଇବନ୍ଧ ଗ୍ରାମର ଟିକିନା ସ୍ବାଇଁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଚାଷୀ ଓ ମହିଳା କୃଷି ଶ୍ରମିକମାନେ ତାଙ୍କୁ ବଡଗଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ଗଡ ପୋଲିସ ଅପମୃତ୍ୟୁ କେସ୍ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଛି। ସେପଟେ ସୁରେଖାଦେଇପୁର ଗ୍ରାମର ଚାଷଜମିରେ ମହିଳା କୃଷି ଶ୍ରମିକ କୁମାରୀ ପ୍ରଧାନଙ୍କ ଜୀବନ ନେଇଛି ବଜ୍ରପାତ। ତାଙ୍କୁ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୋରଡ଼ା ପୋଲିସ ଅପମୃତ୍ୟୁ କେସ୍ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛି।