ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ବରୀ | News Room Odisha

ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଁ ସମଲେଶ୍ବରୀ

ସମ୍ବଲପୁର: ଆଜି ପବିତ୍ର ମହାଳୟା। ଏହି ଅବସରରେ ସମ୍ବଲପୁରର ଆରାଧ୍ଯ ଦେବୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଦୀର୍ଘ ଦୁଇ ବର୍ଷ ପରେ ଏହି ଦୁର୍ଲଭ ଶ୍ବେତ ରୂପରେ ମାଁ ଦର୍ଶନ ଦେଇଥିବାରୁ ଭକ୍ତଙ୍କ ପ୍ରବଳ ଭିଡ ହୋଇଛି।

ପବିତ୍ର ମହାଳୟାରେ ମାଁ ଧବଳମୁଖୀ ବେଶ ଧାରଣ କରିଥାନ୍ତି। ଏହାକୁ ଗଙ୍ଗା ବେଶ ବି କୁହାଯାଇଥାଏ। ମହାଳୟାରେ ତିଳତର୍ପଣ ପରେ ଗଙ୍ଗା ଦର୍ଶନ କଲେ ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି। ତେବେ ସମସ୍ତଙ୍କ ପକ୍ଷରେ ଗଙ୍ଗା ବେଶ ଦର୍ଶନର ସୁଯୋଗ ମିଳୁନଥିବାରୁ ମାଁ ସମଲେଶ୍ବରୀଙ୍କୁ ଧବଳମୁଖୀ ବା ଗଙ୍ଗା ବେଶରେ ଦର୍ଶନ କଲେ ଅନୁରୂପ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି। ଏହି ବେଶରେ ମାଁଙ୍କ ଦେହର ବର୍ଣ୍ଣ ସଂପୂର୍ଣ୍ଣ ଶ୍ବେତ ବା ଧଳା। ବର୍ଷତମାମ ମାଁ ସିନ୍ଦୁର ଚର୍ଚ୍ଚିତା ହେଉଥିବା ବେଳେ ବର୍ଷକ ଥରେ ଚନ୍ଦନ ଚର୍ଚ୍ଚିତା ବେଶ ଧାରଣ କରିଥାନ୍ତି। ଏହି ବେଶରେ ମାଁଙ୍କ ରୂପ ଅତ୍ୟନ୍ତ ଶାନ୍ତ ଓ ସୌମ୍ୟ।

ଗତକାଲି ବିଳମ୍ବିତ ରାତିରେ ପୂଜକମାନେ ମାଁଙ୍କ ଦେହରୁ ସିନ୍ଦୁର ଛଡାଇ ଚନ୍ଦନ ଚର୍ଚ୍ଚିତା କରିଛନ୍ତି। ଏହାପରେ ମାଁଙ୍କ ମଙ୍ଗଳ ଆଳତୀ କରାଯାଇ ଭୋର ସାଢେ ୫ଟାରୁ ଭକ୍ତଙ୍କ ପାଇଁ ଦ୍ବାର ଖୋଲିଛି। ସେପଟେ ଭିଡ ଦୃଷ୍ଟିରୁ ଭୋଗ ଏବଂ ଦୀପ ଧୂପ ନେବାକୁ ଭକ୍ତଙ୍କୁ ବାରଣ କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ୪ ସେକ୍ସନ ଫୋର୍ସ ମୁତୟନ କରାଯାଇଛି।