ରେକର୍ଡ ସ୍କୋର କରିବା ପରେ ମୁମ୍ବାଇକୁ ହରାଇ ଖାତା ଖୋଲିଲା ସନରାଇଜର୍ସ ହାଇଦ୍ରାବାଦ | News Room Odisha

ରେକର୍ଡ ସ୍କୋର କରିବା ପରେ ମୁମ୍ବାଇକୁ ହରାଇ ଖାତା ଖୋଲିଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ: ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ତୋଫାନୀ ଇନିଂସ ବଳରେ ରେକର୍ଡ ସ୍କୋର କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ଏକ ହାଇସ୍କୋରିଂ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ ରନରେ ହରାଇଛି । ଏହି ବିଜୟ ସହ ଖାତା ଖୋଲିଛି ହାଇଦ୍ରାବାଦ। ଅନ୍ୟପକ୍ଷରେ ମୁମ୍ବାଇର ଏହା କ୍ରମାଗତ ଦ୍ବିତୀୟ ପରାଜୟ।

ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହେବା ପରେ ସନରାଇଜର୍ସ ତିନି ୱିକେଟ୍ ହରାଇ ୨୭୭ ରନ୍ କରିଥିଲେ, ଯାହା ଆଇପିଏଲରେ ଏକ ନୂଆ ରେକର୍ଡ । ଏଥିସହ ହାଇଦ୍ରାବାଦ ୨୦୧୩ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ୨୬୩ ରନ୍ ରେକର୍ଡକୁ ଟପିଥିଲା । ଆରସିବି ସେହି ବର୍ଷ ପୁଣେ ୱାରିୟର୍ସ ବିପକ୍ଷରେ ଏହି ରେକର୍ଡ କରିଥିଲା।

ହାଇଦ୍ରାବାଦ ପ୍ରଦତ୍ତ ହିମାଳୟ ସଦୃଶ ବିଜୟଲକ୍ଷ୍ୟ ସତ୍ତ୍ୱେ ମୁମ୍ବାଇ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା । ହେଲେ ଦଳ ପାଞ୍ଚ ୱିକେଟ୍ ହରାଇ ୨୪୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହି ମ୍ୟାଚରେ ମୋଟ ୫୨୩ ରନ୍ ହୋଇଥିଲା, ଯାହା ଏକ ଆଇପିଏଲ୍ ରେକର୍ଡ । ଏହାଛଡ଼ା ମ୍ୟାଚରେ ୩୮ଟି ଛକା ବର୍ଷିଥିଲା, ଯାହା ଟି-୨୦ କ୍ରିକେଟରେ ଏକ ନୂଆ ରେକର୍ଡ |