ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲେ ଇମ୍ରାନ ଖାନ, ଭାରତ ଦେଲା କଡ଼ା ଜବାବ | News Room Odisha

ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲେ ଇମ୍ରାନ ଖାନ, ଭାରତ ଦେଲା କଡ଼ା ଜବାବ

ନ୍ୟୁୟର୍କ: ଶନିବାର ସକାଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସବୁଥର ପରି ଏଥର ମଧ୍ୟ କାଶ୍ମୀର ପ୍ରସଙ୍ଗ ଉଠାଇଛି ପାକିସ୍ତାନ । ଇମ୍ରାନ ଅଭିଯୋଗ କରିଛନ୍ତି ଯେ ଭାରତ ଏକପାଖିଆ ପଦକ୍ଷେପ ନେଇ କାଶ୍ମୀରକୁ ଜବରଦଖଲ କରିଛି। ଇମ୍ରାନଙ୍କ ଏହି ବୟାନର ଭାରତ ମଧ୍ୟ ଉପଯୁକ୍ତ ଜବାବ ଦେଇଛି। ମିଳିତ ଜାତିସଂଘର ଭାରତୀୟ କୂଟନୀତିଜ୍ଞ ସ୍ନେହା ଦୁବେ କହିଛନ୍ତି ଯେ ସମଗ୍ର ଜାମ୍ମୁ କାଶ୍ମୀର ଏବଂ ଲଦାଖ ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ। ଏଥି ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ବି ରହିଛି | ପାକିସ୍ତାନ ସେହି ଅଞ୍ଚଳକୁ ତୁରନ୍ତ ମୁକ୍ତ କରିବା ଉଚିତ୍।
ଦୁବେ କହିଛନ୍ତି ଯେ ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ଜାଣନ୍ତି ଯେ ପାକିସ୍ତାନର ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଏବଂ ସହଯୋଗ କରିବାର ଇତିହାସ ବିଷୟରେ ସମସ୍ତେ ଅବଗତ । ଏହା ପାକିସ୍ତାନ ନୀତିର ଏକ ଅଂଶ । ଆତଙ୍କବାଦୀମାନେ ମୁକ୍ତ ଭାବରେ ପାକିସ୍ତାନରେ ବୁଲୁଥିବା ବେଳେ ପାକିସ୍ତାନ ଜାତିସଂଘର ପ୍ଲାଟଫର୍ମ ବ୍ୟବହାର କରି ଭାରତ ବିରୋଧରେ ଅପପ୍ରଚାର ଚଳାଇବା ପ୍ରଥମ ଘଟଣା ନୁହେଁ । ଓସାମା ବିନ୍ ଲାଦେନକୁ ମଧ୍ୟ ପାକିସ୍ତାନ ଆଶ୍ରୟ ଦେଇଥିଲା। ଆଜି ମଧ୍ୟ ପାକିସ୍ତାନ ସରକାର ବିନ୍ ଲାଡେନକୁ ସହିଦ ବୋଲି କହୁଛନ୍ତି ବୋଲି ରୁବେନ କହିଛନ୍ତି ।