ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ, ନୱାଜ ସରିଫଙ୍କ ପଲା ଭାରି | News Room Odisha

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ, ନୱାଜ ସରିଫଙ୍କ ପଲା ଭାରି

ଇସଲାମାବାଦ: ଆତଙ୍କବାଦୀ ସମସ୍ୟା ଓ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନରେ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିପାଇଁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ସେନାର ସମର୍ଥନ ରହିଥିବାରୁ ତାଙ୍କ ପଲା ଭାରି ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ବୁଧବାର ବାଲୁଚିସ୍ତାନ ପ୍ରଦେଶରେ ଏକ ନିର୍ବାଚନ କାର୍ଯ୍ୟାଳୟକୁ ଟାର୍ଗେଟ୍ କରି ହୋଇଥିବା ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଥିଲେ। ଏଣୁ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୋବାଇଲ୍ ସେବା ବି ବନ୍ଦ ରଖାଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲରେ ଥିବାବେଳେ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍ ନୱାଜ (ପିଏମଏଲ-ଏନ) ନିର୍ବାଚନରେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇପାରେ। ଖାନଙ୍କ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ଚିହ୍ନ କ୍ରିକେଟ୍ ‘ବ୍ୟାଟ୍’କୁ ନିର୍ବାଚନ କମିଶନ ପ୍ରତ୍ୟାହାର କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିବା ପରେ ଦଳର ପ୍ରାର୍ଥୀମାନେ ନିର୍ଦ୍ଦଳୀୟ ଭାବେ ଲଢ଼ୁଛନ୍ତି । ୭୪ ବର୍ଷୀୟ ସରିଫ ରେକର୍ଡ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ନିର୍ବାଚନରେ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମଧ୍ୟ ମଇଦାନରେ ରହିଛି। ଦଳ ବିଲାୱାଲ ଭୁଟ୍ଟୋ-ଜର୍ଦ୍ଦାରୀଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଘୋଷଣା କରିଛି ।

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ପ୍ରାୟ ୬,୫୦,୦୦୦ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଅଧିକାରୀ କହିଛନ୍ତି, ଏହି ନିର୍ବାଚନରେ ୧୨.୮୫ କୋଟିରୁ ଅଧିକ ପଞ୍ଜୀକୃତ ଭୋଟର ମତଦାନ କରିବେ।