ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ହସ୍ପିଟାଲରେ ଭର୍ତ୍ତି | News Room Odisha

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ହସ୍ପିଟାଲରେ ଭର୍ତ୍ତି

ଜୟପୁର: ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଆଜି ଜୟପୁରର ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ତାଙ୍କ ଆଞ୍ଜିଓପ୍ଲାଷ୍ଟି ଏସଏମଏସ ହସ୍ପିଟାଲରେ କରାଯିବ। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ରଘୁ ଶର୍ମା ମଧ୍ୟ ସିଏମ ଗେହଲୋଟଙ୍କ ସ୍ୱାସ୍ଥ୍ୟର ଅବନତି ସମ୍ପର୍କରେ ସୂଚନା ପାଇବା ପରେ ଏସଏମଏସ ହସ୍ପିଟାଲରେ ପହଞ୍ଚିଛନ୍ତି।

ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଟୁଇଟ୍ କରି କହିଛନ୍ତି, “କୋଭିଡରେ ଆକ୍ରାନ୍ତ ହେବା ପରଠାରୁ ମୋର ସ୍ୱାସ୍ଥ୍ୟ ସମସ୍ୟା ଥିଲା। ଗତକାଲିଠାରୁ ମୋର ଛାତିରେ ଗଭୀର ଯନ୍ତ୍ରଣା ହେଉଥିଲା, ଯାହା ପରେ ମୁଁ ଆଜି ଏସଏମଏସ ହସ୍ପିଟାଲରେ ମୋର ସି.ଟି.-ଆଞ୍ଜିଓ କରାଇଛି। ମୁଁ ଭଲ ଅଛି ଏବଂ ଶୀଘ୍ର ଫେରିବି। ଆପଣଙ୍କର ସମସ୍ତ ପ୍ରାର୍ଥନା ଏବଂ ଆଶୀର୍ବାଦ ମୋ ପାଖରେ ଅଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କୋଭିଡ ପରବର୍ତ୍ତୀ ଜଟିଳତା ସହ ସଂଘର୍ଷ କରୁଛନ୍ତି। ଗେହଲୋଟ୍ ତାଙ୍କ ଭର୍ଚୁଆଲ୍ ପ୍ରୋଗ୍ରାମରେ ମଧ୍ୟ ଅନେକ ଥର ଏହା କହିଛନ୍ତି। ଏହି କାରଣରୁ ଗେହଲୋଟ୍ ସର୍ବସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରୁନାହାଁନ୍ତି | ମୁଖ୍ୟମନ୍ତ୍ରୀ ଗେହଲୋଟ୍ ଗତକାଲି ରାତିରେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାତିରେ ଅସୁସ୍ଥତା ଅନୁଭବ କରିବାରୁ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ଯାହା ପରେ ଆଜି ସକାଳେ ସିଏମ ମେଡିକାଲ ଯାଞ୍ଚ ପାଇଁ ଏସଏମଏସ ହସ୍ପିଟାଲକୁ ଯାଇଥିଲେ।