ପୁରୀ: ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଓ ଚକା ଅପସରା ନୀତି | News Room Odisha

ପୁରୀ: ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଓ ଚକା ଅପସରା ନୀତି

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଦୀର୍ଘ ପନ୍ଦର ଦିନର ଅନବସର ପରେ ଆଜି ମିଳିବ ଶ୍ରୀମୁଖ ଦର୍ଶନ। ଆଷାଢ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ଵାରା ଚତୁର୍ଦ୍ଧା ବିଗ୍ରହଙ୍କ ବନକ ଲାଗି ନୀତି ଶେଷ ହୋଇଥିଲା। ଅର୍ଥାତ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ବନକ ଲାଗି ପାଇଁ ଦତ୍ତ ସେବକମାନେ ଗାଢ଼ ହେଙ୍ଗୁଳ, ଶଙ୍ଖ ଚୂର୍ଣ୍ଣ, ଅଁଳା, ତମ୍ବା, ହରିତାଳ, କଳା, ଫୁଲଖଡ଼ି ଗୁଣ୍ଡ ଓ ରାଶିତେଲ ବ୍ୟବହାର କରିଥଲେ।

ଆଜି ସକାଳେ ମହାପ୍ରଭୁଙ୍କ ଚକା ଅପସର ନୀତି ପରେ ମଙ୍ଗଳ ଆଳତି ବଢିଥିଲା। ଚକା ଅପସର ହେଉଛି ଏକ ବିଶେଷ ନୀତି। ଏହା ନୂତନ ବସ୍ତ୍ର ଓ ତୁଳାରେ ଯନ୍ତ୍ର ଆକାର ରେ ପ୍ରସ୍ତୁତ ତଥା ଶାସ୍ତ୍ରୀୟ ବିଧି ଓ ଶାବର ତନ୍ତ୍ରରେ ସଂସ୍କାରିତ ଏକ କୋମଳ ଗୋଲାକାର ଆସନ। ଯାହା ବିଗ୍ରହ ଙ୍କୁ ଲାଗି କରାଯାଏ। ଏହି ନୀତି କୁ ଚକା ଅପସର ବୋଲି କୁହାଯାଏ।ଏହି ନୀତି ହେଉଛି ଅଣସର ର ଶେଷ ନୀତି। ଏହାପରେ ଅଣସର ତାଟି ଖୋଲାଯାଇ ଶ୍ରୀ ବିଗ୍ରହଙ୍କ ପ୍ରଥମ ଦର୍ଶନ ହେଉଥିବାରୁ ନବଯୌବନ ଦର୍ଶନ କୁହାଯାଏ। ସର୍ବ ପ୍ରଥମେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ଦର୍ଶନ କରି ଭେଟି ଦେବାର ପରମ୍ପରା ରହିଛି।

Puri Jagannath TempleRath Yatra