ଚାଲିଗଲେ 'ସିଆଇଡି' ଅଭିନେତା ଦୀନେଶ ଫଡନିସ୍ | News Room Odisha

ଚାଲିଗଲେ ‘ସିଆଇଡି’ ଅଭିନେତା ଦୀନେଶ ଫଡନିସ୍

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ ସିରିଏଲ୍ ‘ସିଆଇଡି’ରେ ଫ୍ରେଡେରିକ୍ସ ଭୂମିକାରେ ଅଭିନୟ କରିଥିବା ଅଭିନେତା ଦୀନେଶ ଫଡନିସଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି । ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ଏହି ସିରିଏଲରେ ଦୟା ଚରିତ୍ର ପାଇଁ ଜଣାଶୁଣା ତାଙ୍କ ସହ-ଅଭିନେତା ଦିନାନନ୍ଦ ଶେଟ୍ଟୀ ଦୀନେଶଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି।

ଦିନାନନ୍ଦ ଶେଟ୍ଟୀ କହିଛନ୍ତି, ଦୀନେଶ ଗତକାଲି ରାତି ୧୨ଟା ୮ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କୁ ମୁମ୍ବାଇର ଟୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକାଧିକ ଅଙ୍ଗ ଅକାମୀ ହୋଇଯିବାରୁ ଦୀନେଶଙ୍କର ମୃତ୍ୟୁ ହୋଇଥିଲା। ସେ ଗତ କିଛି ଦିନ ଧରି ଭେଣ୍ଟିଲେଟରରେ ଥିଲେ । ତେବେ ସ୍ବାସ୍ଥ୍ୟ ଜନିତ ଅଧିକ ଜଟିଳତା ଯୋଗୁଁ ତାଙ୍କୁ ଗତକାଲି ଭେଣ୍ଟିଲେଟରରୁ ହଟାଇ ଦିଆଯାଇଥିଲା।

ଦୀନେଶଙ୍କର ଶନିବାର ହୃଦଘାତ ହୋଇଥିଲା ବୋଲି ଖବର ଆସିଥିଲା । ତେବେ ସେ ହୃଦଘାତର ଶିକାର ହୋଇନଥିଲେ । ତାଙ୍କ ଲିଭର ନଷ୍ଟ ହୋଇଯାଇଥିଲା‌ ବୋଲି ପରେ ଦିନାନନ୍ଦ ଶେଟ୍ଟୀ ସ୍ପଷ୍ଟ କରିଥିଲେ ।

ଦୀନେଶ ଦୀର୍ଘ ସମୟ ଧରି ‘ସିଆଇଡି’ ରେ ଫ୍ରେଡେରିକ୍ସ ଭୂମିକାରେ ଅଭିନୟ କରିଥିଲେ | ଦୀନେଶ ୧୯୯୮ ରୁ ୨୦୧୮ ପର୍ଯ୍ୟନ୍ତ ‘ସିଆଇଡି’ରେ କାମ କରିଥିଲେ | ଏହି ସିରିଏଲ୍ ଜରିଆରେ ଦୀନେଶ ଟେଲିଭିଜନ ଜଗତରେ ଏକ ପରିଚିତ ଚେହେରା ପାଲଟିଥିଲେ | ତାଙ୍କୁ କେବଳ ସିଆଇଡିରେ ନୁହେଁ ଲୋକପ୍ରିୟ କମେଡି ଶୋ ‘ତାରକ ମେହେଟା କା ଓଲଟା ଚଷମା’ରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଏହି ଶୋ’ରେ ଏକ କ୍ୟାମିଓ କରିଥିଲେ | ସେ ହ୍ରିତିକ ରୋଶନଙ୍କ ‘ସୁପର ୩୦’ ଏବଂ ‘ସରଫରୋଶ’ ପରି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।