ରୁଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ସାମିଲ ହେଲେ ତୃତୀୟ ବିଶ୍ବଯୁଦ୍ଧ ହେବ: ବାଇଡେନ | News Room Odisha

ରୁଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ସାମିଲ ହେଲେ ତୃତୀୟ ବିଶ୍ବଯୁଦ୍ଧ ହେବ: ବାଇଡେନ

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ରୁଷ ସହିତ ଯୁଦ୍ଧ କରିବା ପାଇଁ ଆମେରିକା ୟୁକ୍ରେନକୁ ନିଜର ସୈନ୍ୟ ପଠାଇବ ନାହିଁ।

ସେ ଟୁଇଟ୍ କରି କହିଛନ୍ତି, “ଆମେ ମିଳିତ ତଥା ଶକ୍ତିଶାଳୀ ନାଟୋର ସମ୍ପୂର୍ଣ୍ଣ ଶକ୍ତି ସହିତ ନାଟୋ ଅଞ୍ଚଳର ପ୍ରତ୍ୟେକ ଇଞ୍ଚକୁ ରକ୍ଷା କରିବୁ। ଆମେ ୟୁକ୍ରେନରେ ରୁଷ ବିରୁଦ୍ଧରେ ଲଢିବୁ ନାହିଁ। ନାଟୋ ଏବଂ ରୁଷ ମଧ୍ୟରେ ସିଧାସଳଖ ଲଢେଇ ତୃତୀୟ ବିଶ୍ୱଯୁଦ୍ଧ ପରି ହେବ।”

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମି ଜେଲେନସ୍କି ନାଟୋରୁ ସାମରିକ ସହାୟତା ଲୋଡ଼ିଥିଲେ ମଧ୍ୟ ଆମେରିକା ଏହାର ସୈନିକମାନଙ୍କୁ ସିଧାସଳଖ ଯୁଦ୍ଧ ପାଇଁ ପଠାଇବ ନାହିଁ ବୋଲି ବାଇଡେନ ପୂର୍ବରୁ ସ୍ପଷ୍ଟ କରିଛନ୍ତି । ‌

ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ଘୋଷିତ କରିବାକୁ ଜେଲେନସ୍କି ମଧ୍ୟ ଦାବି କରିଛନ୍ତି। କିନ୍ତୁ ନାଟୋର ସଦସ୍ୟ ନ ଥିବାରୁ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନରେ ନାଟୋର ହସ୍ତକ୍ଷେପକୁ ମନା କରିଦେଇଥିଲେ।

ଏହା ବଦଳରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ରୁଷ ଉପରେ ଅର୍ଥନୈତିକ କଟକଣା ପ୍ରଣାଳୀ ଗ୍ରହଣ କରିଛନ୍ତି। ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ରୁଷ ଉପରେ ଅନେକ କଠୋର ଆର୍ଥିକ କଟକଣା ଲଗାଇଛନ୍ତି। ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି।

ବାଇଡେନ ରୁଷର ମଦ, ସାମୁଦ୍ରିକ ଖାଦ୍ୟ ଏବଂ ହୀରା ଆମଦାନୀ ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ଏଥି ସହିତ, ରୁଷର ବଡ ବ୍ୟବସାୟୀଙ୍କ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।