ଆଇପିଏଲ୍: ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗ୍ସ, ଆରସିବିକୁ ୬ ୱିକେଟରେ ହରାଇଲା | News Room Odisha

ଆଇପିଏଲ୍: ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗ୍ସ, ଆରସିବିକୁ ୬ ୱିକେଟରେ ହରାଇଲା

ଚେନ୍ନାଇ: ନୂଆ ଅଧିନାୟକ ଋତୁରାଜ ଗାଏକୱାଡଙ୍କ ନେତୃତ୍ୱରେ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଆଇପିଏଲ୍ ୨୦୨୪ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ସିଏସ୍‌କେ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ହରାଇଛି |

ଆର୍‌ସିବି ଦେଇଥିବା ୧୭୪ ରନର ଲକ୍ଷ୍ୟକୁ ସିଏସ୍‌କେ ମାତ୍ର ୪ ୱିକେଟ୍ ହରାଇ ୧୮.୪ ଓଭରରେ ହାସଲ କରିନେଇଥିଲା | ସିଏସ୍‌କେ ପକ୍ଷରୁ ରାଚିନ୍ ରବିନ୍ଦ୍ର ସର୍ବାଧିକ ୩୭ ରନ୍ ସଂଗ୍ରହ କରିଥିବା ବେଳେ ଶିବମ୍ ଦୁବେ ଦ୍ରୁତ ୩୪ ରନ୍ ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ରବୀନ୍ଦ୍ର ଜାଡେଜା ୨୫ ରନ୍ କରି ଅପରାଜିତ ରହିଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା। ଦଳ ଏକଦା ୭୮ ରନରେ ୫ ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ତେବେ ଅନୁଜ ରାୱତ (୪୮) ଏବଂ ଦୀନେଶ କାର୍ତ୍ତିକ (୩୮*) ଷଷ୍ଠ ଓ୍ବିକେଟରେ ୯୫ ରନ୍ ଯୋଡ଼ି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ୩୫ ଓ ବିରାଟ କୋହଲି ୨୫ ରନ୍ କରି ଆଉଟ୍ ହୋଇଥିଲେ । ସିଏସକେ ତରଫରୁ ମୁସ୍ତାଫିଜୁର ରହମାନ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।