ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ | News Room Odisha

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟର ୮୮ ଟି ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଗୁରୁବାର (ମାର୍ଚ୍ଚ ୨୮) ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ତରଫରୁ ନିର୍ବାଚନ କମିଶନ ଏପ୍ରିଲ ୨୬ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ସକାଳେ ବିଜ୍ଞପ୍ତି ଜାରି କରିଛନ୍ତି।

ଏହି ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୪ |

ଜମ୍ମୁ କାଶ୍ମୀରକୁ ଛାଡ଼ି ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନାମାଙ୍କନ ପତ୍ର ଯାଞ୍ଚ ଏପ୍ରିଲ ୫ରେ ହେବ। ଜମ୍ମୁ କାଶ୍ମୀରରେ ଏପ୍ରିଲ ୬ରେ ହେବ ନାମାଙ୍କନ ପତ୍ର ଯାଞ୍ଚ ।

ଏହି ପର୍ଯ୍ୟାୟରେ ଆଉଟର ମଣିପୁର ଲୋକସଭା ନିର୍ବାଚନମଣ୍ଡଳୀର ଏକ ଭାଗରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ। ଆଉଟର ମଣିପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ମାର୍ଚ୍ଚ ୨୦ରେ ଜାରି କରାଯାଇଥିଲା।

ଆଉଟର ମଣିପୁର ଲୋକସଭା ଆସନ ଅନ୍ତର୍ଗତ ୧୫ ବିଧାନସଭା ନିର୍ବାଚନମଣ୍ଡଳୀରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏହି ଆସନ ଅନ୍ତର୍ଗତ ଅନ୍ୟ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଏପ୍ରିଲ ୨୬ରେ ମତଦାନ ଦ୍ୱିତୀୟ ପର୍ଯ୍ୟାୟରେ ହେବ।

ଏହାଛଡ଼ା ଆସାମ, ବିହାର, ଛତିଶଗଡ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅନେକ ଆସନରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ।