ବାରଘରର ବିକାଶ ନକ୍ସା ଆଙ୍କିଲା ଗଜପତି ଜିଲ୍ଲା ପ୍ରଶାସନ | News Room Odisha

ବାରଘରର ବିକାଶ ନକ୍ସା ଆଙ୍କିଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ତିନି ବର୍ଷ ତଳର କଥା। ଅକ୍ଟୋବର ୨୦୧୮ରେ ପ୍ରାକୃତିକ ବିପର୍ଯ୍ୟୟ ତଥା ତିତଲି ବାତ୍ୟା ଗଜପତି ଜିଲ୍ଲାବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଗଜପତି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇ କ୍ଷୟକ୍ଷତିର ଶିକାର ହୋଇଥିଲା। ସେତେବେଳେ ଏହି ଜିଲ୍ଲାର ପୁନଃନିର୍ମାଣ ପାଇଁ ଆଶ୍ୱାସନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଅନୁସାରେ ଧିରେ ଧିରେ ଜିଲ୍ଲାରେ ସ୍ବାଭାବିକ ସ୍ଥିତି ଫେରି ଆସିବାରେ ଲାଗିଛି। କ୍ଷତିଗ୍ରସ୍ତ ତଥା ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳର ବାସିନ୍ଦା ଏବେ ଥଇଥାନ ପରବର୍ତ୍ତୀ ଅଧିକ ଉନ୍ନତ ଜୀବନଯାପନ କରିବାରେ ଲାଗିଛନ୍ତି। ରାୟଗଡ଼ ବ୍ଲକ୍ ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଏହାର ଏକ ନଜିର ପାଲଟିବାକୁ ଯାଉଛି।

ଏହି ଗାଁ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିଲା। ଏହାପରେ ପାହାଡ଼ ଉପରେ ଥିବା ବାରଘର ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଲୋକେ ଦାବି କରିଥିଲେ। ଗ୍ରାମବାସୀଙ୍କୁ ଏକ ସମତଳ ସ୍ଥାନକୁ ଅଣାଯାଇ ନୂଆ ବସତି ‘ନୂଆ ବାରଘର’ ସ୍ଥାପନ କରାଯାଇଥିଲା। ତେବେ ନୂଆରେ ଗଢ଼ି ଉଠିଥିବା ଏହି ଗାଁରେ ସ୍ଵାଭାବିକ ଭାବେ ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ସମସ୍ୟା ରହିଥିଲା। ପୁରୁଷ ପୁରୁଷ ଧରି ପାହାଡ଼ିଆ ଗାଁରେ ରହି ଆସିଥିବା ବାସିନ୍ଦା ନୂଆ ସ୍ଥାନରେ ଚଳିବାରେ କିଛିଟା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଆଶ୍ଵାସନା ମୁତାବକ ଗଜପତି ଜିଲ୍ଲା ପ୍ରଶାସନ ଅନ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ପରି ନୂଆ ବାରଘରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବାରେ ଲାଗି ପଡ଼ିଛି।

ନୂଆ ବାରଘର ଗାଁର ସମସ୍ତଙ୍କୁ ମାଗଣାରେ ଜମି ଯୋଗାଇ ଦିଆଯିବା ସହ ସେମାନଙ୍କ ପାଇଁ ବିଜୁ ପକ୍କା ଘର ତିଆରି ହୋଇଥିଲା। ପ୍ରତ୍ୟେକ ଘରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ୍ ସଂଯୋଗ ବଳରେ ବିଦ୍ୟୁତ୍ ଆଲୋକ ଜଳି ଉଠୁଛି। ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଖରୀ ଖୋଳାଯାଇଛି। ମିଶନ୍ ଶକ୍ତି ମାଧ୍ୟମରେ ଝାଡ଼ୁ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଇଛି ପ୍ରଶାସନ। ୨୦୨୧ – ୨୨ ଆର୍ଥିକ ବର୍ଷରେ ମନରେଗାରେ ୧୪୮୭ ଶ୍ରମଦିବସ ସୃଷ୍ଟି କରାଯାଇଛି। ଉଦ୍ୟାନ ବିଭାଗ ଦ୍ଵାରା ଫଳ ଉତ୍ପାଦନକାରୀ ବୃକ୍ଷରୋପଣ ସାଙ୍ଗକୁ ଯୋଗାଯୋଗ ପାଇଁ ସ୍ଵୟଂ ସହାୟିକା ଗୋଷ୍ଠୀ ସଭ୍ୟାମାନଙ୍କୁ ମୋବାଇଲ୍ ଦିଆଯାଇଛି। ନୂଆ ଅଙ୍ଗନବାଡ଼ି ଏବଂ ଗାଁ କୋଠ ଘର ନିର୍ମାଣ ଜାରି ରହିଛି।୧୭ ଲକ୍ଷ ଟଙ୍କା ବ୍ୟୟରେ ଏକ ସ୍କୁଲ କୋଠା କାମ ଚାଲିଥିବା ବେଳେ ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ୩୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ପଣ୍ଡା ସୂଚନା ଦେଇଛନ୍ତି। ବାତ୍ୟାର ୩ ବର୍ଷ ପରେ ବି ସେ କ୍ଷତ ଅଲିଭା ରହିଛି। ହେଲେ ଅଞ୍ଚଳବାସୀଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେଇ ସେମାନଙ୍କ ବିକାଶକୁ ତ୍ବରାନ୍ବିତ କରିବାକୁ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିଛି।

Cyclone TitliGajapati Admin