‘୫-ଟି’ କାର୍ଯ୍ୟଧାରାରେ ସହରର ପ୍ରତି ଘରକୁ ପାଇପ୍ ଜଳଯୋଗାଣ | News Room Odisha

‘୫-ଟି’ କାର୍ଯ୍ୟଧାରାରେ ସହରର ପ୍ରତି ଘରକୁ ପାଇପ୍ ଜଳଯୋଗାଣ

ଛତ୍ରପୁର: ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ୨୩ଗୋଟି ସହରାଞ୍ଚଳରେ ୫-ଟି କାର୍ଯ୍ୟଧାରାରେ ପ୍ରତି ଘରକୁ ଶତ ପ୍ରତିଶତ ଜଳଯୋଗାଣ ସକାଶେ ପାଇପ୍ ସଂଯୋଗ ହୋଇଛି। ପ୍ରତି ଘରକୁ ଯଥେଷ୍ଟ ପରିମାଣରେ ବିଶୁଦ୍ଧ ଜଳଯୋଗାଣ କରାଯାଉଛି। ସହରର ଉପାନ୍ତ ଅଞ୍ଚଳରେ ଲୋକେ ଯଦି ସଠିକ୍ ଓ ଯଥେଷ୍ଟ ମାତ୍ରାରେ ସ୍ଵଚ୍ଛ ଜଳ ସହଜ ଓ ସୁବିଧାରେ ପାଇପାରିବେ ତେବେ ଯାଇ ଯୋଜନା ସଫଳ ହୋଇପାରିଛି ବୋଲି ହୃଦ୍‌ବୋଧ କରିହେବ। ଛତ୍ରପୁର ଠାରେ ୩ଟି ଜିଲ୍ଲାର ଏନ୍‌ଏସି, ପୌରପାଳିକା ଓ ଏକମାତ୍ର ବ୍ରହ୍ମପୁର ମହାନଗର ନିଗମର କ୍ଲଷ୍ଟରସ୍ତରୀୟ ସମୀକ୍ଷା ବୈଠକରେ ଏହା ପ୍ରକାଶ କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି.ମାଥିଭାତନନ୍।

ବର୍ତ୍ତମାନ ଏହି ୩ ଜିଲ୍ଲାର ପ୍ରତ୍ୟେକ ଗୃହକୁ ୱାଟ୍‌କୋ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ଶତପ୍ରତିଶତ ପାଇପ୍ ଜଳ ଯୋଗାଣ ହୋଇପାରୁଛି। ମିଶନ୍ ଶକ୍ତି ଦ୍ଵାରା ଏହାର ସଠିକ୍ ପରିଚାଳନା ଉପରେ ଗୁରୁତ୍ବ ଦେବା ସହ ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ ପ୍ରତି ଘରକୁ ନିୟମିତ ଦୁଇ ଘଣ୍ଟା ଲେଖାଏଁ ସମୟ ନିର୍ଘଣ୍ଟ ଅନୁଯାୟୀ ଜଳଯୋଗାଣ ହେବା ଆବଶ୍ୟକ। ଏଭଳି କଲେ ଲୋକେ ସଚେତନ ହେବେ ଓ ନିର୍ଦ୍ଧାରିତ ସମୟରେ ନିଜ ଘରେ ଟ୍ୟାପ୍ ଖୋଲି ପାଣି ଗଚ୍ଛିତ କରି ରଖିବେ। ଜଳଯୋଗାଣ ସକାଶେ ଆସୁଥିବା ସରକାରୀ ଅନୁଦାନ କେବଳ ୱାଟ୍‌କୋ ଏବଂ ପିଏଚ୍‌ଇଡିକୁ ହିଁ ସେହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସକାଶେ ପ୍ରଦାନ କରିବାକୁ ସମସ୍ତ ସହରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ମାଥିଭାତନନ୍।

ଉଲ୍ଲେଖଯୋଗ୍ୟ କି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବେଠାରୁ କ୍ଲଷ୍ଟରସ୍ତରୀୟ ସମୀକ୍ଷା ବୈଠକ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ରହିଛି ଯେ କ୍ଲଷ୍ଟର ଅନ୍ତର୍ଗତ ଜିଲ୍ଲାସମୂହର ପ୍ରମୁଖ ଉନ୍ନୟନ ପ୍ରକଳ୍ପକୁ ତ୍ବରାନ୍ବିତ କରାଯିବ ଯେଭଳି ସହରବାସୀ ଏହାର ଲାଭ ଉଠାଇ ପାରିବେ। ବିଭିନ୍ନ ସହରାଞ୍ଚଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସେଥିରେ ଗୋଷ୍ଠୀଗତ ସମ୍ପୃକ୍ତିକୁ ଗୁରୁତ୍ବ ଦିଆଯିବ। ଏଥି ଅନ୍ତର୍ଗତ ଛତ୍ରପୁରରେ ହୋଇଥିବା ବୈଠକରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ୨୩ଟି ସହରାଞ୍ଚଳରେ ସୁଜଳ, ଜାଗା ମିଶନ୍, ମୁକ୍ତା, ଆହାର, ସ୍ଵଚ୍ଛତା ଓ ପରିମଳ, ସ୍ମାର୍ଟ ଏଲ୍‌ଇଡି ଲାଇଟ୍ ଆଲୋକୀକରଣ ଆଦି ବାବଦରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇ ଥିଲା। ସହରବାସୀଙ୍କୁ ଉନ୍ନତ ଭାବେ ସେବା ଯୋଗାଣ ଉପରେ ଫୋକସ୍ କରାଯାଇ ଥିଲା।

ଛତ୍ରପୁରରେ ଅନୁଷ୍ଠିତ ବୈଠକରେ ସଚିବ ମାଥିଭାତନନ୍ କହିଥିଲେ ଯେ ସହରାଞ୍ଚଳ ବିକାଶ କ୍ଷେତ୍ରରେ ପୂର୍ବରୁ ଯେଉଁ ସ୍ଥିତି ଥିଲା ସେଥିରେ ବର୍ତ୍ତମାନ ବହୁତ କିଛି ବଦଳିଛି। ୨୦୧୫- ୧୬ ମସିହା ବେଳକୁ ଜଳଯୋଗାଣ ଏକ ଆହ୍ବାନ ଥିଲା। ବିଧାନସଭାରେ ହଟ୍ଟଗୋଳ ହେଉଥିଲା, ଅନେକ ମାମଲା କୋର୍ଟରେ ବିଚାର ହେଉଥିଲା, ଲୋକେ ପାଣି ନପାଇ ସମସ୍ୟା ଭୋଗୁଥିଲେ। ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଲୋକଙ୍କୁ ଏବେ ସୁବିଧା ଓ ସହଜରେ ପାଇପ୍ ବିଶୁଦ୍ଧ ଜଳ ମିଳିପାରୁଛି।

ଉପରୋକ୍ତ ବୈଠକରେ ୩ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ମଳ ଉପଚାର ପ୍ଲାଣ୍ଟ୍‌ ଓ ପରିମଳ ବ୍ୟବସ୍ଥାର ସୁଧାରୀକରଣ ଦିଗରେ ଆଲୋଚନା ହୋଇଥିଲା ଏହି। ଶୌଚାଳୟ ବ୍ୟବହାର ସକାଶେ କୌଣସି ଅର୍ଥ ଆଦାୟ କରାଯିବ ନାହିଁ ବୋଲି ନିର୍ଦ୍ଦେଶକୁ ସଠିକ୍ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବାରୋପ କରାଯାଇ ଥିଲା। ସଫେଇ କର୍ମଚାରୀଙ୍କ ନିରାପତ୍ତା ଏବଂ ସେମାନଙ୍କ ସମ୍ମାନ ସମସ୍ତଙ୍କ କର୍ତ୍ତବ୍ୟ । ସେଥିପ୍ରତି ନଜର ରଖିବାକୁ ଓ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦିଆଯାଇ ଥିଲା। ପ୍ରତି ଘରୁ ଆବର୍ଜନା ସଂଗ୍ରହ ପ୍ରକ୍ରିୟାର ସଠିକ ପରିଚାଳନା ହୋଇପାରିଲେ ରାସ୍ତାରେ ଆବର୍ଜନା ପଡିବ ନାହିଁ । ସେହିପରି ଆବର୍ଜନାରୁ ସାର୍ ସୃଷ୍ଟି ପାଇଁ ‘ମୋ ଖତ’ କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇ ଥିଲା। ଜାଗା ମିଶନ୍‌ରେ ହିତାଧିକାରୀଙ୍କୁ ସେମାନେ ରହୁଥିବା ସ୍ଥାନରେ ପ୍ରତି ପରିବାରକୁ ଗୋଟିଏ ଶୌଚାଳୟ ପ୍ରଦାନ ପାଇଁ କୁହାଯାଇ ଥିଲା। ମୁକ୍ତା ଯୋଜନା ମୁଖ୍ୟମନ୍ତ୍ରୀଙ୍କ ମହତ୍ତ୍ୱପୂର୍ଣ ଯୋଜନା ମଧ୍ୟରୁ ଅନ୍ୟତମ ବୋଲି ଦର୍ଶାଇ ତାହାକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇ ଥିଲା।

ବୈଠକରେ ପୌରାଞ୍ଚଳ ପ୍ରଶାସକ ଏବଂ ଜାଗା ମିଶନ୍ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ବିଭାଗୀୟ ଯୁଗ୍ମ ସଚିବ ତଥା ମୁକ୍ତା ଯୋଜନା ନୋଡାଲ୍ ଅଧିକାରୀ ସାରଦା ପ୍ରସାଦ ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲ, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ୍ , ବିଇଏମ୍‌ସି କମିଶନର୍ ଜେ.ସୋନାଲ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Odisha GovernmentSujal - Drink from Tap Mission