ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ | News Room Odisha

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ

ଆମ ସାମାଜିକ ଚଳଣିରେ ନୂଆଖାଇ ଏକ ସ୍ୱତନ୍ତ୍ର ପର୍ବ। ଯେଉଁ ପର୍ବରେ ଦେଖିବାକୁ ମିଳିଥାଏ ସାମାଜିକ ,ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭାବଗତ ର ଝଲକ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ପାଳନ କରାଯାଇଥାଏ ନୂଆଖାଇ ପର୍ବ । ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଏହାଏକ ଗଣପର୍ବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ବିଶେଷ କରି ଏହା ଏକ କୃଷି ଭିର୍ତ୍ତିକ ପର୍ବ। ପଶ୍ଚିମ ଓଡିଶା ବାସୀଙ୍କର ମୁଖ୍ୟଜୀବିକା ହେଉଛି କୃଷି। କୃଷିଜାତ ଅନ୍ନର ମହତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳିତ ହୋଇଆସୁଛି। ଓଡିଶାର ଅବିଭକ୍ତ କଳାହାଣ୍ଡି, ବଳାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ କେତେକ ଅଂଚଳରେ ଏହି ନୂଆଖାଇ ପର୍ବ ଖୁବ ଧୂମଧାମରେ ପାଳିତ ହୋଇଥାଏ।

ବର୍ଷ ପ୍ରାରମ୍ଭରେ ଉତ୍ପାଦିତ ଶସ୍ୟର ଅନ୍ନ କୁ ବିଶେଷ କରି ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜଇଷ୍ଟ ଦେବାଦେବୀଙ୍କ ଅର୍ପଣକରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସଙ୍ଗେସଙ୍ଗେ ଅନ୍ୟ ମାନଙ୍କୁ ପଂକ୍ତି ଭୋଜନରେ ଆପ୍ୟାୟିତ କରିବାର ଧାରା ନୂଆଖାଇ ପର୍ବ।

ପଶ୍ଚିମ ଓଡିଶା କଳିଙ୍ଗ-କୋଶଳ ଭାବେ ପରିଚିତ ଏବଂ ଆଦିବାସୀ ଅଧ୍ୟୁଷିତ ଅଂଚଳ ଭାବେ ପ୍ରସିଦ୍ଧ। ଏହି ଅଂଚଳ ବାସୀ ମୁଖ୍ୟତଃ କୃଷିଜୀବି। ଏମାନେ ପ୍ରକୃତି ସହିତ ଏକ ନିବିଡ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରି ବଂଚି ଆସୁଥିବାରୁ କେବଳ ଧାନ ହିଁ ନୂଆ ବା ନବାନ୍ନ ମଧ୍ୟରେ ସିମିତ ନ ରହି ପ୍ରତିଟି ଶସ୍ୟର ନୂଆ ଫସଲକୁ ନିଜ ଇଷ୍ଟ ଦେବାଦେବୀଙ୍କୁ ସମର୍ପଣ କରିବା ପରେ ହିଁ ନିଜେ ବ୍ୟବହାର କରିଥାନ୍ତି। ଠିକ ସେହିପରି ଶ୍ରାବଣ ମାସରେ ମାଣ୍ଡିଆ ନୂଆଖିଆ ଓ ଗୁର୍ଜୀ ନୂଆଖିଆ, ଦଶହରା ଶୁକ୍ଳ ଦଶମୀ ଦିନ ବାଲିଗଜା ସମୟରେ ମକା ମଞ୍ଜିର ଗଜାକରି ପୂଜା କରିବା ପରେ ମକା ଖାଇବା ପରମ୍ପରା ଥିଲା। ଦଶହରା ଅଷ୍ଟମୀ ଦିନ ପୁଅ ଜିଉନ୍ତିଆ ଓଷା କରିସାରିବା ପରେ କମଳା ଜାତୀୟ ଫଳ ପୂଜା କରିସାରିବା ପରେ ସେହି ଫଳସବୁ ଖାଇବା ପଶ୍ଚିମ ଓଡିଶାର ଏକ ମୁଖ୍ୟ ପ୍ରଥା ଅଟେ । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଦିନ ଶିମ୍ବ, କଖାରୁ, ବିରି, ଝୁଡଙ୍ଗ, ମୂଳା ଇତ୍ୟାଦିକୁ ଦେବାତାଙ୍କୁ ଅର୍ପଣ କରିସାରିବା ପରେ ଖିଆଯାଇଥାଏ। ଫାଲଗୁନ ପୂର୍ଣ୍ଣିମା ଦିନ ଆମ୍ବକୁ ଦେବତାଙ୍କ ପାଖରେ ପୂଜା କରି ସେହିଦିନ ଠାରୁ ଖିଆଯାଏ। ଏତେସବୁ ଘଟଣା ପରେ ମଧ୍ୟ ମୁଖ୍ୟତଃ ଧାନଚାଷ କୁ ପ୍ରାଧାନ୍ୟ ଦିଆଯାଇଛି। ପରମ୍ପରା ଅନୁଯାୟୀ ଏହି ଅଂଚଳବାସୀ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ମହା ଧୂମଧାମରେ ପାଳନକରି ଆସୁଛନ୍ତି। ତେଣୁ ଏହା ହିଁ ପଶ୍ଚିମ ଓଡିଶାର ମୁଖ୍ୟପର୍ବ ବା ଗଣପର୍ବ ନୂଆଖାଇ।

ପଶ୍ଚିମ ଓଡିଶା ଶକ୍ତିପୀଠ ଭାବେ ପରିଚିତ । କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ ଓ ଆଖପାଖର ଲଙ୍କେଶ୍ୱରୀ, ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀ ଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗଲାଗି ହେବାପରେ ସେହି ନୂଆ ଅନ୍ନକୁ ସମସ୍ତେ ଗ୍ରହଣ କରିବାର ପରମ୍ପରା ରହିଆସିଛି।

ନୂଆଖାଇର ପ୍ରାକ ପ୍ରସ୍ତୃତି ପର୍ବ ଆରମ୍ଭ ହୋଇଥାଏ ନିର୍ଦ୍ଦିଷ୍ଟ ଦିନର କିଛି ଦିନ ପୂର୍ବରୁ। ନୂଆଖାଇ ଦିନ ପ୍ରାୟତଃ ସମସ୍ତଙ୍କ ଘରେ ସମସ୍ତେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି। ଏହି ସମୟରେ ପରିବାର ର ସମସ୍ତେ ଯିଏ ଯେତେ ଦୂରରେ ଥିଲେ ମଧ୍ୟ ନିଜ ଗ୍ରାମରେ ଆସି ଏକତ୍ରିତ ହୋଇଥାନ୍ତି। ନବନିର୍ମିତ ଚୂଲିରେ ନୂଆହାଣ୍ଡିରେ ଧାନ ପକାଇ ଚୂଡା ଭଜା ଯାଇଥାଏ । ସେହି ନୂତନ ଚୂଡାରେ ଗାଈ ଘିଅ, କ୍ଷୀର, ନଡିଆ, କଦଳୀ, ଗୁଡ ଆଦି ମିଶ୍ରଣ କରାଯାଇ ପ୍ରସାଦ ବା ନବାନ୍ନ ପ୍ରସ୍ତୃତ କରାଯାଇଥାଏ। ନୂଆଖାଇରେ ସର୍ବଶୁଦ୍ଧି ଓ ଦେବାଦେବୀଙ୍କ ମାନ୍ୟତା ପ୍ରାପ୍ତ କୁରେଇପତ୍ର ପୂର୍ବରୁ ସଂଗ୍ରହ କରି ରଖାଯାଇଥାଏ । ସେହି କୁରେଇ ପତ୍ରରେ ହିଁ ଘରର ମୂଖିଆ ସମସ୍ତଙ୍କୁ ନବାନ୍ନ ବଂଟନ କରିଥାନ୍ତି। ପ୍ରଥମେ ଇଷ୍ଟ ଦେବାଦେବୀ ଙ୍କ ପାଖରେ ନୂଆ ଧାନର ବେଣି କରି ଝୁଲାଇ ଦିଆଯାଇଥାଏ ଏବଂ ଇଷ୍ଟ ଦେବାଦେବୀ ଓ ପୂର୍ବପୁରୁଷଙ୍କୁ ନବାନ୍ନ ଅର୍ପଣ କରିସାରିବା ପରେ ପ୍ରତ୍ୟେକ ବ୍ୟକ୍ତି ସାନରୁ ବଡ ଯାଏ ସମସ୍ତେ ନିଜ ନିଜ ମୁଣ୍ଡରେ ଲଗାଇ ନବାନ୍ନ ପ୍ରସାଦ ଭକ୍ଷଣ କରିଥାନ୍ତି।

ନୂଆଖାଇ ବା ନବାନ୍ନ ଭକ୍ଷଣ ପର୍ବ ଯେଉଁଦିନ ନୂଆଅନ୍ନ ଖିଆଯାଏ କେବଳ ସେହି ଦିନଟିକୁ ବୁଝାଏ ନାହିଁ ବରଂ ନୂଆଖାଇ ଦିନ ସହିତ ତାର ପୂର୍ବ ପ୍ରସ୍ତୃତି ଏବଂ ପରର ଯେଉଁ ପ୍ରଥା ସବୁ ରହିଛି ତାକୁ ମିଶାଇ ନୂଆଖାଇ ପର୍ବ କୁହାଯାଇଥାଏ। ନୂଆଖାଇର ପରଦିନକୁ ନୂଆଖାଇ ବାସି ପାଳନ କରାଯାଇଥାଏ। ଏହିଦିନ ଆହୁରି ଧୂମଧାମରେ ପିଠାପଣା ମାଛ ମାଂସ ଇତ୍ୟାଦି କରି ଭୋଜିଭାତ ମାଧ୍ୟମରେ ବନ୍ଧୁ ମିଳନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ। ସ୍ଥାନେ ସ୍ଥାନେ ନବାନ୍ନ ଭକ୍ଷଣ ପରେ ସାତ ଆଠଦିନ ପରେ ମଧ୍ୟ ଆଖପାଖ ସାଂସ୍କୃତିକ ଦଳ ଓ ମୁଖ୍ୟ ଲୋକମାନଙ୍କୁ ନେଇ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ।

ଇତିହାସ କୁହେ ୧୮୫୩ ମସିହା ବେଳକୁ କଳାହାଣ୍ଡିର ମହାରାଜା ଉଦିତ ପ୍ରତାପ ଦେଓଙ୍କ ଶାସନ କାଳରେ ସମ୍ବଲପୁରର କୁଲତା ସଂପ୍ରଦାୟର ଲୋକମାନଙ୍କୁ ନିମନ୍ତ୍ରଣ କରି କଳାହାଣ୍ଡିରେ ଚାଷର ବିକାଶ କରିଥିଲେ।

କଳାହାଣ୍ଡିର ଗଣପର୍ବ ଯେମିତି ନୂଆଖାଇ ଠିକ ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଣବାଦ୍ୟ ରୂପେ ଘୁମୁରା ବେଶ ପ୍ରଚଳିତ। ନୂଆଖାଇ ଆସିବା ପୂର୍ବରୁ ପୋଏଲ ଉଆାଁସ ଅର୍ଥାତ ଶ୍ରାବଣ ଅମାବାସ୍ୟା ଦିନ ଘୁମୁରା ବାଦ୍ୟ ସବୁକୁ ପୂଜାକରି ଏହି ଗଣବାଦ୍ୟ ଘୁମୁରା ବାଦ୍ୟର ଅଭ୍ୟାସ ଆରମ୍ଭ କରାଯାଉଥିବାର ମଧ୍ୟ ପରଂପରା ରହିଛି। ନୂଆଖାଇ ଦିନ ତାର ଆତ୍ମପ୍ରକାଶ ଘଟି ସମସ୍ତଙ୍କ ଘରକୁ ଘର ବୁଲି ଘୁମୁରାନୃତ୍ୟ ବାଦ୍ୟ ପରିବେଷଣ କରିବାର ପରଂପରା ଆଜିମଧ୍ୟ ପ୍ରଚଳିତ।

ମାଟି ଓ ମଣିଷର ଯେଉଁ ଅତୁଟ ସଂପର୍କ ରହିଛି ସେହି ସଂପର୍କରୁ ଉଦବୁଦ୍ଧ ଏହି କୃଷି ଭିର୍ତ୍ତିକପର୍ବ ସମାଜରେ ଐକ୍ୟବଦ୍ଧତା, ଭାତୃଭାବ ପ୍ରତିଷ୍ଠା କରିବା ଗଣପର୍ବ ନୂଆଖାଇ ପାଳନର ମୁଖ୍ୟ ଉଦେଶ୍ୟ।