ଗଠନ ହେଲା ବରଗଡ ଜିଲ୍ଲାର ସର୍ବବୃହତ ସ୍ବୟଂ ସହାୟକ ଗୋଷ୍ଠୀ  | News Room Odisha

ଗଠନ ହେଲା ବରଗଡ ଜିଲ୍ଲାର ସର୍ବବୃହତ ସ୍ବୟଂ ସହାୟକ ଗୋଷ୍ଠୀ 

ବରଗଡ: ଗଠନ ହେଲା ବରଗଡ ଜିଲ୍ଲାର ସର୍ବବୃହତ ସ୍ବୟଂ ସହାୟକ ଗୋଷ୍ଠୀ। ଜିଲ୍ଲାର ପାଇକମାଳ ନୃସିଂହନାଥ ମନ୍ଦିର ନିକଟରେ ଥିବା ନୃସିଂହପଡାର 160ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନେଇ ଗଠିତ ହୋଇଛି ଦିବ୍ୟଶକ୍ତି ନାରୀ ସଂଘ। ବର୍ତ୍ତମାନ ଏଥିରେ 130 ଜଣ ମହିଳା ପଞ୍ଜିକୃତ ହୋଇଥିବା ବେଳେ ଆହୁରି ପ୍ରାୟ 35 ମହିଳା ବି ସାମିଲ ହୋଇଛନ୍ତି। ଏମାନେ କିଛି ମାସ ତଳେ ଏକାଠି ହୋଇ ସଂଘ ଗଢିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ସେମାନେ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିବା ପରେ ତାଙ୍କୁ ଆବଶ୍ୟକ ପରାମର୍ଶ ଦିଆଯିବା ସହିତ ସମସ୍ତ ଆନୁସଙ୍ଗିକ ପ୍ରକ୍ରିୟା ପାଳନ ପାଇଁ ପୂର୍ଣ ସହଯୋଗ କରାଯାଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗ ତଥା ମିଶନ ଶକ୍ତି ବିଭାଗର ବ୍ଲକସ୍ତରୀୟ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଗତକାଲି ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା ଏମାନଙ୍କୁ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ବରଗଡ ଜିଲ୍ଲା ପ୍ରଶାସନର ଏଭଳି ସହଯୋଗରେ ସମସ୍ତ ସଦସ୍ୟା ଖୁସି ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ଆଗାମୀ ଦିନରେ ସଂଘ ପ୍ରଶାସନ ସହ ହାତକୁ ହାତ ମିଳାଇ ସମାଜସେବା ଜାରି ରଖିବ ବୋଲି ଏହାର ନେତୃବୃନ୍ଦ ପ୍ରକାଶ କରିଛନ୍ତି।