ଆଉ ୪ ଦିନ ବଢ଼ିଲା କେଜ୍ରିୱାଲଙ୍କ ଇଡି ରିମାଣ୍ଡ | News Room Odisha

ଆଉ ୪ ଦିନ ବଢ଼ିଲା କେଜ୍ରିୱାଲଙ୍କ ଇଡି ରିମାଣ୍ଡ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ଆଶ୍ବସ୍ତି ମିଳିନାହିଁ । ଟ୍ରାଏଲ୍ କୋର୍ଟ ତାଙ୍କ ଇଡି ରିମାଣ୍ଡ ଆଉ ଚାରି ଦିନ ବଢ଼ାଇଛନ୍ତି । କେଜ୍ରିୱାଲ ବର୍ତ୍ତମାନ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ।

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଗତ ଗୁରୁବାର କେଜ୍ରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ପରଦିନ ତାଙ୍କୁ ଟ୍ରାଏଲ କୋର୍ଟ ୬ ଦିନ ଇଡି ରିମାଣ୍ଡରେ ପଠାଇଥିଲେ, ଯାହାର ଅବଧି ଆଜି ଶେଷ ହୋଇଥିଲା ।

ଆଜି ଇଡି କେଜ୍ରିୱାଲଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ତାଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା ଇଡି । ରିମାଣ୍ଡ ବୃଦ୍ଧି ନେଇ ଇଡିର ଦାବିକୁ କେଜ୍ରିୱାଲ ବିରୋଧ କରିନଥିଲେ । ସେ ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ ।

ତେବେ କେଜ୍ରିୱାଲଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ରିମାଣ୍ଡ ବୃଦ୍ଧିକୁ ବିରୋଧ ନ କରିବା ଅର୍ଥ ନୁହେଁ ଯେ ସେ ଇଡି ଅଭିଯୋଗକୁ ସ୍ବୀକାର କରୁଛନ୍ତି। ତାଙ୍କ ଗିରଫଦାରି ଏକ ଷଡ଼ଯନ୍ତ୍ର। ଆପ୍ ଏକ ଦୁର୍ନୀତିଗ୍ରସ୍ତ ଦଳ ବୋଲି ସର୍ବସାଧାରଣରେ ଧାରଣା ସୃଷ୍ଟି କରିବାକୁ ଉଦ୍ୟମ ହେଉଛି ବୋଲି ସେ ଦାବି କରିଥିଲେ ।