ଝଲସି ଉଠୁଛି ରୂପାନ୍ତରିତ ଶିକ୍ଷାୟତନ | News Room Odisha

ଝଲସି ଉଠୁଛି ରୂପାନ୍ତରିତ ଶିକ୍ଷାୟତନ

ଲେଖକ: ପ୍ରତିଭା ନେପାକ

ବ୍ରହ୍ମପୁର: ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍। ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି। ନିଶ୍ଚିତ ଭାବେ ଏହା ଦ୍ବାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶ୍ ମାତ୍ରାରେ ହ୍ରାସ ପାଇବ। କେବଳ ଶ୍ରେଣୀ ବହି ପଢ଼ା ନୁହେଁ, ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଡିଜିଟାଲ ଲାଇବ୍ରେରୀ ଓ ଡିଜିଟାଲ କ୍ଲାସ୍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ। ଏଥିସହ କ୍ରୀଡ଼ା, କମ୍ପ୍ୟୁଟର ଶିକ୍ଷା, ଉନ୍ନତମାନର ବୈଜ୍ଞାନିକ ପରୀକ୍ଷାଗାର (ସାଇନ୍ସ ଲ୍ୟାବ୍)ର ସୁବିଧା ସେମାନଙ୍କୁ ମିଳିପାରିଛି। ବିଶୁଦ୍ଧ ପାନୀୟ ଜଳ ହେଉ କିମ୍ବା ସ୍ଵଚ୍ଛ ଶୌଚାଳୟ, ଚକମକିଆ ଓ ଶିକ୍ଷଣୀୟ ବିଦ୍ୟାଳୟର ଶ୍ରେଣୀ କକ୍ଷରୁ ଆରମ୍ଭ କରି ରଙ୍ଗୀନ ପାଚେରୀରେ ଝଲସୁଛି କ୍ୟାମ୍ପସ୍। ଏଥିପାଇଁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ କୌଣସି ଅତିରିକ୍ତ ବ୍ୟୟ ଦେବାକୁ ହୋଇନି। ସରକାର ନିଜସ୍ବ ଅନୁଦାନରେ ଶିକ୍ଷାନୁଷ୍ଠାନରେ ଆଣିଛନ୍ତି ଏଭଳି ଆଖିଦୃଶିଆ ପରିବର୍ତ୍ତନ। ଉଲ୍ଲେଖନୀୟ ଭାବେ ଏଥିରେ କେବଳ ସରକାର ଅଂଶୀଦାର ହୋଇ ନାହାନ୍ତି, ବରଂ ଗୋଷ୍ଠୀଗତ ଅଂଶଗ୍ରହଣ ଯଥା ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମ୍ୟ ବା ସ୍ଥାନୀୟ ଉନ୍ନୟନ କମିଟି ଓ ଜନପ୍ରତିନିଧି ମଧ୍ୟ ବିକାଶର ଏହି ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି। ରାଜ୍ୟ- ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ରାଜ୍ୟ ସରକାର “୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍” ତଥା ‘’ମୋ ସ୍କୁଲ ଅଭିଯାନ” ଜରିଆରେ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଓଡ଼ିଶାର ହାଇସ୍କୁଲ ଶିକ୍ଷା କ୍ଷେତ୍ର ଚଳିତ ବର୍ଷ ଏଭଳି କିଛି ଐତିହାସିକ ରୂପାନ୍ତରଣର ସାକ୍ଷୀ ହୋଇଛି।

ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀରୁ ଏହାର ଶୁଭାରମ୍ଭ ହୋଇଛି। ଏଥି ଅନ୍ତର୍ଗତ ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଳକ୍‌ର ଯଥାକ୍ରମେ ସମସ୍ତ ୨୭ଟି ଓ ୨୩ଟି ହାଇସ୍କୁଲରେ ଡିଜିଟାଲ କ୍ଲାସ୍‌ରୁମ୍ ପ୍ରତିଷ୍ଠା କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲାର ମୋଟ ୧୩୩ଟି ହାଇସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍। ଆଉ ଏହି ପ୍ରକ୍ରିୟାକୁ ସୂଚାରୁ ରୂପେ ସମ୍ପନ୍ନ କରିବାର ଦାୟିତ୍ୱ ସକୁଶଳେ ତୁଲାଇ ଆସିଛି ଟିମ୍ ଗଞ୍ଜାମ। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନ ଏଥିପାଇଁ ଦିନରାତି ଏକ କରି ଅହରହ ପ୍ରଚେଷ୍ଟା କରୁଛନ୍ତି। ସାରା ରାଜ୍ୟର ପ୍ରାୟ ୧୦୦୦ରୁ ଅଧିକ ହାଇସ୍କୁଲକୁ ଏହି ଟ୍ରାନ୍ସଫର୍ମେସନ୍ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ଭବିଷ୍ୟତର ଆହ୍ବାନ ପାଇଁ ମଜବୁତ ଭାବେ ପ୍ରସ୍ତୁତ କରିବ। ଆହୁରି ମଧ୍ୟ ଉଦଘାଟନୀ ବ୍ୟବସ୍ଥା ଏଭଳି ହୋଇଛି ଯେ ରାଜ୍ୟର ଶତାଧିକ ବିଧାୟକ ଏହାର ପ୍ରତ୍ୟକ୍ଷଦର୍ଶୀ ସାଜୁଛନ୍ତି। ସେମାନେ ପରବର୍ତ୍ତୀ ସମୟରେ ନିଜ ଅଞ୍ଚଳରେ ହାଇସ୍କୁଲର ଏଭଳି ବିକାଶକୁ ତ୍ବରାନ୍ବିତ କରାଇବାରେ ସହଯୋଗୀ ଭୂମିକା ତୁଲାଇବେ।

ଉଲ୍ଲେଖନୀୟ ଭାବେ ରାଜ୍ୟର କୌଣସି ବିଦ୍ୟାଳୟରେ ପ୍ରଥମ ଇ-ଲାଇବ୍ରେରୀ କମ୍ ରିଡିଂ ରୁମ୍ ଶେରଗଡ଼ ବ୍ଲକ୍ କରଡ଼କଣା ଉଚ୍ଚବିଦ୍ୟାଳୟରେ ନିର୍ମାଣ କରାଯାଇଛି। ଏହି କୋଠରୀକୁ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିକ୍ଷା କ୍ଷେତ୍ରର ଭବିଷ୍ୟତକୁ ବଦଳାଇବାର ଆଭିମୁଖ୍ୟକୁ ସ୍ପଷ୍ଟ ବୁଝିହେବ। କୌଣସି ବଡ଼ ବଡ଼ ସହରରେ ମଧ୍ୟ ଏଭଳି ଅତ୍ୟାଧୁନିକ ରିଡିଂ ରୁମ୍ ହୁଏତ ଦେଖିବାକୁ ମିଳିବନି। ଏଠି ରହିଛି ବାତାନୁକୂଳିତ କୋଠରୀ, କମ୍ପ୍ୟୁଟର ସହ ଇଣ୍ଟରନେଟ୍ ସଂଯୋଗ, ଯାବତୀୟ ବହି- ପତ୍ରିକାର ସମାହାର। ଆଉ ଯେଉଁ ଛାତ୍ରଛାତ୍ରୀ ଏଭଳି ପରିବେଶରେ ଶିକ୍ଷା ଗ୍ରହଣ କରିବ ସେ ଯେ ଜଣେ ଉତ୍ତମ ବିଦ୍ୟାର୍ଥୀ, ସ୍ମାର୍ଟ ଓ ସୁନାଗରିକ ହୋଇ ଗଢ଼ି ଉଠିବ, ଭବିଷ୍ୟତରେ ଉଚ୍ଚଶିକ୍ଷା ନିମନ୍ତେ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ବିଦ୍ୟାଳୟ ହତାରୁ ବାହାରିବ ସେଥିରେ କୌଣସି ଦ୍ବନ୍ଦ୍ବ ନାହିଁ।

ଦୁଇ ଦଶନ୍ଧି ତଳର କଥା । ସେତେବେଳେ ରାଜ୍ୟର ହାଇସ୍କୁଲ ଶିକ୍ଷା ଉପରେ ନଜର ପକାଇଲେ କେବଳ ନିରାଶାର ଚିତ୍ର ଦୃଷ୍ଟିକୁ ଆସୁଥିଲା। ସେଥିପାଇଁ ତ ଘରୋଇ ବିଦ୍ୟାଳୟଗୁଡ଼ିକ ଛତୁ ଫୁଟିବା ଭଳି ଖେଳି ଯାଇଥିଲେ। ସରକାରୀ ସ୍କୁଲରୁ ମୁହଁ ବୁଲାଇ ଛାତ୍ରଛାତ୍ରୀ ଘରୋଇ ତଥା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଆଡ୍‌ମିଶନ୍ ନେବାକୁ ପସନ୍ଦ କରୁଥିଲେ। ଦିନ ଥିଲା ପିଲାଏ ଚଟଣରେ, ଗଛ ତଳେ, ଝାଟିମାଟି ତଥା ଭଙ୍ଗାଦଦରା ଆଜବେଷ୍ଟସ୍ ଘରେ ବସି ପଡୁଥିଲେ। ଯେଉଁଠି ପିଲାଙ୍କୁ ଚେୟାର ଟେବୁଲ ମିଳୁ ନଥିଲା, ସେଠି କମ୍ପ୍ୟୁଟର ଶିକ୍ଷା ଥିଲା ଏକରକମ ସ୍ଵପ୍ନ। ହେଲେ ଏଥିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ବଦ୍ଧପରିକର ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ସେ ନେଇଛନ୍ତି ଗୋଟିଏ ପରେ ଗୋଟିଏ ଐତିହାସିକ ପଦକ୍ଷେପ। କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ତଥା ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦାନ ସୁବିଧାରୁ ବଞ୍ଚିତ ରାଜ୍ୟର ସାଧାରଣ ପରିବାରର ଛାତ୍ରଛାତ୍ରୀ ଯେଭଳି ଏହି ଧରଣର ଶିକ୍ଷାବ୍ୟବସ୍ଥାରେ ସାମିଲ ହୋଇପାରିବେ ସେଥିପାଇଁ ସେ ଆରମ୍ଭ କରିଥିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ରାଜ୍ୟର ସବୁ ବ୍ଲକରେ ଏଭଳି ଆଦର୍ଶ ବିଦ୍ୟାଳୟ ଖୋଲିଥିଲା, ଯେଉଁଠି ସାଧାରଣ ପରିବାରର ଛାତ୍ରଛାତ୍ରୀ ସିବିଏସ୍‌ଇ ଢାଞ୍ଚାରେ ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପାଇପାରିଲେ। ସରକାରୀ ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ କରିଥିଲେ ଏକ ବଡ଼ ଘୋଷଣା। ସରକାରୀ ସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କ ସକାଶେ ବୈଷୟିକ ତଥା ଡାକ୍ତରୀ ତଥା ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଯାହା ଦେଶରେ ଥିଲା ଅଦ୍ବିତୀୟ, ସର୍ବପ୍ରଥମ ଏଭଳି ପଦକ୍ଷେପ। ଆଉ ଏବେ ମୋ ସ୍କୁଲ, ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଜରିଆରେ ହାଇସ୍କୁଲ ଶିକ୍ଷା ବିଶେଷ କରି ୯ମ ଓ ୧୦ମ ଶ୍ରେଣୀ ଶିକ୍ଷାରେ ଆମୁଳଚୂଳ ପରିବର୍ତ୍ତନ ଆଣିବା ପ୍ରକ୍ରିୟାକୁ ଆଗେଇ ନେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ।

ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ୫୦ଟି ସ୍କୁଲ ଲୋକାର୍ପିତ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାପାଳ କୁଲାଙ୍ଗେଙ୍କ ସମେତ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଓ ଅନ୍ୟ ସମସ୍ତ ଅଧିକାରୀ ବାରମ୍ବାର ସ୍କୁଲ ପରିଦର୍ଶନ କରି ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗିଥିଲେ। ଆହୁରି ମଧ୍ୟ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ବାରମ୍ବାର ପରିଦର୍ଶନ ସହ ଅଗଷ୍ଟ ୧୫ ଓ ୧୬ରେ ଉଭୟ ବ୍ଲକର ସମସ୍ତ ୫୦ଟି ସ୍କୁଲ ମାରାଥନ୍ ଗସ୍ତ କରି ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ ଓ ଶିକ୍ଷା ବିଭାଗର ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ପରିଶ୍ରମ ମଧ୍ୟ ସୁଫଳ ଆଣି ଦେଇଛି।

ପରବର୍ତ୍ତୀ ପର୍ଯ୍ୟାୟରେ ସାରା ରାଜ୍ୟରେ କେଉଁଠି ଗାନ୍ଧି ଜୟନ୍ତୀ ଅଥବା କେଉଁଠି ଶିଶୁ ଦିବସରୁ ଆରମ୍ଭ ହେବାକୁ ଯାଉଛି ଏଭଳି ସ୍ମାର୍ଟ କ୍ଲାସ୍। ଅପରପକ୍ଷରେ ରାଜ୍ୟରେ ରହିଛି ୫୩ ଲକ୍ଷ ୬୮ ହଜାରରୁ ଊର୍ଦ୍ଧ୍ବ ସରକାରୀ ଓ ୫ ଲକ୍ଷ ୭୫ ହଜାରରୁ ଆଧିକ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ୭୧୯୦ରୁ ଅଧିକ ମାଧ୍ୟମିକ ବିଦ୍ୟାଳୟ। ଏବେ ରାଜ୍ୟ ସରକାର ପ୍ରାୟ ୩୪ ହଜାର ସରକାରୀ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମିରେ ପରିବର୍ତ୍ତନ ବା ରୂପାନ୍ତରଣର ସ୍ପର୍ଶ ଦେବାକୁ ଲାଗିଛନ୍ତି। ନିକଟରେ ମୋ ସ୍କୁଲ ଅଭିଯାନରେ ଏଥିସକାଶେ ୧୦୩ କୋଟି ଟଙ୍କାର ବ୍ୟବସ୍ଥାକୁ ମଞ୍ଜୁରୀ ମିଳିଛି। ୧୦୦୦ ସ୍କୁଲରେ ଡିଜିଟାଲ କ୍ଲାସ୍ ବ୍ୟତୀତ ୮୪୪ ପୋଷ୍ୟ ବିଦ୍ୟାଳୟରେ ମଧ୍ୟ ଦେଖିବାକୁ ମିଳିବ ଉନ୍ନତ ଓ ଅତ୍ୟାଧୁନିକ ସୁବିଧା ସୁଯୋଗ। ମୁଖ୍ୟମନ୍ତ୍ରୀଙ୍କ ମୋ ସ୍କୁଲ ଅଭିଯାନରେ ଅନୁପ୍ରାଣିତ ହୋଇ ଗତ ଜୁନ୍‌ ମାସ ସୁଦ୍ଧା ପ୍ରାୟ ୫.୨୪ ଲକ୍ଷ ଆଲୁମନୀ (ପୂର୍ବତନ ବିଦ୍ୟାର୍ଥୀ) ଯୋଡ଼ି ହେବା ସ୍ପଷ୍ଟ ପ୍ରମାଣ ଦିଏ ଯେ ତାଙ୍କ ଦୂରଦୃଷ୍ଟିକୁ କିଭଳି ସମର୍ଥନ ମିଳୁଛି। ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଠାରୁ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରି ଏଭଳି ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି ଯାହାଦ୍ବାରା ଆଗାମୀ ଦିନର ଛାତ୍ର ଛାତ୍ରୀ ସ୍ମାର୍ଟ, ଯୁଗପଯୋଗୀ ଶିକ୍ଷା ସହ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ଭବିଷ୍ୟତର ଆହ୍ବାନର ସମ୍ମୁଖୀନ ହେବାକୁ ନିଜକୁ ତୟାର କରିପାରିବେ।

Chief Minister Naveen PatnaikHigh School TransformationHinjiliOdisha