ଆଇପିଏଲ୍ ୨୦୨୨: ଫାଇନାଲରେ ବର୍ଷା ବାଧକ ସାଜିଲେ କେମିତି ସ୍ଥିର କରାଯିବ ବିଜେତା ? ଜାଣନ୍ତୁ ନିୟମ | News Room Odisha

ଆଇପିଏଲ୍ ୨୦୨୨: ଫାଇନାଲରେ ବର୍ଷା ବାଧକ ସାଜିଲେ କେମିତି ସ୍ଥିର କରାଯିବ ବିଜେତା ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ପ୍ରଥମ କ୍ବାଲିଫାୟର ମେ ୨୪ରେ ଏବଂ ଫାଇନାଲ୍ ମେ ୨୯ରେ ଅନୁଷ୍ଠିତ ହେବ | ପ୍ରଥମ କ୍ବାଲିଫାୟର ମ୍ୟାଚ୍ ଓ ଏଲିମିନେଟର କୋଲକାତାରେ ଖେଳାଯିବ । ଦ୍ଵିତୀୟ କ୍ବାଲିଫାୟର ସହ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦରେ ଅନୁଷ୍ଠିତ ହେବ | ପ୍ଲେ ଅଫ୍ ଓ ଫାଇନାଲ୍ ପାଇଁ ନିୟମରେ କିଛି ପରିବର୍ତ୍ତନ ମଧ୍ୟ ହୋଇଛି |

ଯଦି ଆଇପିଏଲ୍-୨୦୨୨ ଫାଇନାଲ୍ ମ୍ୟାଚ୍ ବେଳେ ପାଗ ଖରାପ ହୁଏ ବା କୌଣସି କାରଣରୁ ବାଧାପ୍ରାପ୍ତ ହୁଏ ତେବେ ଫଳାଫଳ କିପରି ନିର୍ଣ୍ଣୟ ହେବ ଏବଂ କାହାକୁ ବିଜେତା ଘୋଷଣା କରାଯିବ ? ଏ ସମ୍ବନ୍ଧରେ ବିସିସିଆଇ ନିୟମ ସ୍ପଷ୍ଟ କରିଛି ।

ଆଇପିଏଲ୍ ପକ୍ଷରୁ କୁହାଯାଇଛି ଯେ ଯଦି ଫାଇନାଲ୍ ମ୍ୟାଚ୍‌ରେ ଏପରି ପରିସ୍ଥିତି ଉପୁଜେ, ତେବେ ବିଜେତା ନିର୍ଣ୍ଣୟ ପାଇଁ ସୁପର ଓଭରର ସହାୟତା ନିଆଯିବ । ପ୍ଲେ ଅଫ୍ କ୍ୱାଲିଫାୟର୍-୧, ଏଲିମିନେଟର ଏବଂ କ୍ୱାଲିଫାୟର୍-୨ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ | କାରଣ ପ୍ଲେ ଅଫ୍ ପାଇଁ କୌଣସି ରିଜର୍ଭ ଦିବସ ନାହିଁ | ଯଦି ଏହି ତିନୋଟି ପ୍ଲେ ଅଫ୍ ମ୍ୟାଚ୍‌ରେ ସୁପର ଓଭର ପକାଇବା ସମ୍ଭବ ନ ହୁଏ, ତେବେ ପଏଣ୍ଟ ଟେବୁଲରେ ଦଳ ମାନଙ୍କର ସ୍ଥିତି ଅନୁଯାୟୀ ଫାଇନାଲିଷ୍ଟ ସ୍ଥିର କରାଯିବ ।

ଆଇପିଏଲ୍ ଫାଇନାଲ୍ ମେ ୨୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ପାଇଁ ରିଜର୍ଭ ଦିବସ ରଖାଯାଇଛି। ଅର୍ଥାତ୍ ଯଦି ମ୍ୟାଚ୍ ମେ ୨୯ରେ କୌଣସି କାରଣରୁ ନ ହୁଏ, ତେବେ ଏହା ତା’ ପରଦିନ (ମେ ୩୦) ଖେଳାଯିବ | ଫାଇନାଲ ମ୍ୟାଚ୍ ସନ୍ଧ୍ୟା ୭.୩୦ ପରିବର୍ତ୍ତେ ୮ ରୁ ଆରମ୍ଭ ହେବ |

ଆଇପିଏଲ୍ ଗାଇଡଲାଇନ ଅନୁଯାୟୀ, ଦରକାର ପଡ଼ିଲେ ପ୍ରତ୍ୟେକ ପ୍ଲେ ଅଫ୍ ମ୍ୟାଚ୍ ରେ ଓଭର ସଂଖ୍ୟା ପାଞ୍ଚ ଓଭରକୁ ହ୍ରାସ କରାଯାଇପାରେ | ନିୟମ ଅନୁଯାୟୀ, ଏଲିମିନେଟରରେ ଏବଂ ଦୁଇ କ୍ୱାଲିଫାୟରରେ ଯଦି ଅତିରିକ୍ତ ସମୟ ପରେ ପାଞ୍ଚ ଓଭର ଖେଳ ବି ସମ୍ଭବ ନ ହୁଏ, ତେବେ ପରିସ୍ଥିତି ଅନୁକୂଳ ହେଲେ ସମ୍ପୃକ୍ତ ଏଲିମିନେଟର କିମ୍ବା କ୍ୱାଲିଫାୟର ମ୍ୟାଚର ବିଜେତା ସୁପର ଓଭର ଦ୍ୱାରା ସ୍ଥିର ହେବ |

ଯଦି ସୁପର ଓଭର ମଧ୍ୟ ସମ୍ଭବ ନୁହେଁ, ୭୦ ଟି ମ୍ୟାଚର ଲିଗ୍ ପର୍ଯ୍ୟାୟ ପରେ ପଏଣ୍ଟ ଟେବୁଲରେ ଉନ୍ନତ ସ୍ଥିତିରେ ଥିବା ଦଳ ସମ୍ପୃକ୍ତ ପ୍ଲେ-ଅଫ୍ ମ୍ୟାଚ୍ କିମ୍ବା ଫାଇନାଲର ବିଜେତା ଘୋଷିତ ହେବ |

ଯଦି ମେ ୨୯ରେ ଫାଇନାଲ୍ କୌଣସି କାରଣରୁ ଅଧାରୁ ସ୍ଥଗିତ ରୁହେ, ତେବେ ପରଦିନ ମ୍ୟାଚ୍ ଯେଉଁଠାରୁ ଅଟକିଥିଲା ସେଇଠୁ ଆରମ୍ଭ ହେବ | ଯଦି ବର୍ଷା ବାଧକ ସାଜେ ବା ନିୟମିତ ସମୟରେ ଖେଳ ସମ୍ଭବ ହେଇନପାରୁଛି, ତେବେ ଆଇପିଏଲର ୧୫ ତମ ସିଜନର ବିଜେତା ସୁପର ଓଭର ଦ୍ୱାରା ସ୍ଥିର କରାଯିବ |

ଆଇପିଏଲ୍-୨୦୨୨ ପ୍ଲେ ଅଫ୍ କାର୍ଯ୍ୟସୂଚୀ:
• କ୍ବାଲିଫାୟର-୧: ଗୁଜୁରାଟ ଟାଇଟାନ୍ସ ବନାମ ରାଜସ୍ଥାନ ରୟାଲ୍ସ, କୋଲକାତା (ମେ ୨୫, ସନ୍ଧ୍ୟା ୭.୩୦)
• ଏଲିମିନେଟର: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା (ମେ ୨୫, ସନ୍ଧ୍ୟା ୭.୩୦)
• କ୍ବାଲିଫାୟର-୨: ଅହମ୍ମଦାବାଦ (ମେ ୨୭, ସନ୍ଧ୍ୟା ୭.୩୦)
• ଫାଇନାଲ୍ – ଅହମ୍ମଦାବାଦ (ମେ ୨୯, ରାତି ୮)