ମୋର୍ବି ଟ୍ରାଜେଡି ଉପରେ ଟ୍ବିଟ୍ ପାଇଁ ତୂଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ୍ ଗୋଖଲେ ଗିରଫ | News Room Odisha

ମୋର୍ବି ଟ୍ରାଜେଡି ଉପରେ ଟ୍ବିଟ୍ ପାଇଁ ତୂଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ୍ ଗୋଖଲେ ଗିରଫ

ନୂଆଦିଲ୍ଲୀ: ତୂଣମୂଳ କଂଗ୍ରେସ (ଟିଏମସି) ର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ପାଖଲୋକ କୁହାଯାଉଥିବା ସାକେତ ଗୋଖଲେଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି । ତାଙ୍କୁ ସୋମବାର ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରାଯାଇଛି । ସାକେତ ଗୋଖଲେ ମୋର୍ବି ଟ୍ରାଜେଡି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଗୋଖଲେଙ୍କ ଗିରଫ ନେଇ ତାଙ୍କ ଦଳର ସହକର୍ମୀ ତଥା ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନ୍ ସୂଚନା ଦେଇଛନ୍ତି।

ଡେରେକ ଓ’ବ୍ରାଏନ୍ କହିଛନ୍ତି ଯେ ସୋମବାର ରାତି ୯ଟାରେ ଗୋଖଲେ ନୂଆଦିଲ୍ଲୀରୁ ଫ୍ଲାଇଟରେ ଜୟପୁରରେ ପହଞ୍ଚିଥିଲେ । ସେ ଏଠାରେ ଓହ୍ଲାଇବା କ୍ଷଣି ଗୁଜରାଟ ପୋଲିସ ତାଙ୍କୁ ଗିରଫ କରିଥିଲା। ରାତି ୨ଟାରେ ସେ ଫୋନରେ ଗିରଫ ବିଷୟରେ ତାଙ୍କ ମା’ଙ୍କୁ ଜଣାଇଥିଲେ।

ଓ’ବ୍ରାଏନ୍ କହିଛନ୍ତି, ମୋର୍ବି ପୋଲ ଘଟଣାକୁ ନେଇ ଅହମ୍ମଦାବାଦ ସାଇବର ସେଲରେ ସକେତ ଗୋଖଲେଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ ହୋଇଛି। ଏସବୁ ତୃଣମୂଳ କଂଗ୍ରେସ ଏବଂ ବିରୋଧୀଙ୍କ ସ୍ୱରକୁ ଦବାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ବିଜେପି ଆକ୍ରୋଶ ମୂଳକ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।

ଟିଏମସି ମୁଖପାତ୍ର ସାକେତ୍ ଗୋଖଲେ ୧ ଡିସେମ୍ବର ୨୦୨୨ରେ ଏକ ଟ୍ବିଟ୍ କରି ଦାବି କରିଥିଲେ ଯେ ମୋର୍ବି ପୋଲ ଭୁଶୁଡ଼ିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜରାଟ ଗସ୍ତ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଗୋଖଲେ ଗୁଜୁରାଟୀ ଖବରକାଗଜର ଏକ କ୍ଲିପିଂ ଟ୍ୱିଟରରେ ପୋଷ୍ଟ କରି କହିଥିଲେ, ଆରଟିଆଇର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ ମାତ୍ର କିଛି ଘଣ୍ଟାର ମୋର୍ବି ଗସ୍ତ ପାଇଁ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଗୋଖଲେ ଦାବି କରିଥିଲେ ଯେ ‘ମୋଦୀଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ପିଆର୍’ର ମୂଲ୍ୟ ୧୩୫ ନିହତ ଲୋକଙ୍କ ଜୀବନ ଠାରୁ ଅଧିକ’, କାରଣ ଏହି ଦୁଃଖଦ ଘଟଣାରେ ମୃତ ୧୩୫ ପରିବାରର ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା, ଯାହାର ମୋଟ ମୂଲ୍ୟ ୫ କୋଟି ଥିଲା।

ଏହି ଟ୍ବିଟ୍ ପରେ ଗୋଖଲେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।