ଘରୋଇକରଣ ବିରୋଧରେ ଆଜିଠାରୁ ବ୍ୟାଙ୍କ୍ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ | News Room Odisha

ଘରୋଇକରଣ ବିରୋଧରେ ଆଜିଠାରୁ ବ୍ୟାଙ୍କ୍ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ବ୍ୟାଙ୍କଗୁଡିକର ଶାଖାକୁ ଯାଇ ଯେକୌଣସି ଆର୍ଥିକ କିମ୍ବା ଅଣ-ଆର୍ଥିକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର କାର୍ଯ୍ୟ ନ ହେବା ଆଶଙ୍କା ରହିଛି | କାରଣ ବ୍ୟାଙ୍କ୍ ଘରୋଇକରଣକୁ ବିରୋଧ ସହ ଅନ୍ୟାନ୍ୟ ଦାବିରେ ଆଜି (୧୬ ଡିସେମ୍ବରରେ) ଏବଂ ଆସନ୍ତାକାଲି (୧୭ ଡିସେମ୍ବର)ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଧର୍ମଘଟ ହେବ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଦୁଇ ଦିନିଆ ଧର୍ମଘଟ ଘୋଷଣା କରିଛି ‌। ପ୍ରାୟ ୪୦୦୦ ରୁ ଅଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀ ଏହି ଧର୍ମଘଟରେ ଅଂଶଗ୍ରହଣ କରିବେ।

ସରକାରୀ ବ୍ୟାଙ୍କ କର୍ମଚାରୀଙ୍କୁ ଆର୍ଥିକ କିମ୍ବା ଅଣ ଆର୍ଥିକ କାରବାର କିମ୍ବା ଅନ୍ୟ କୌଣସି ପ୍ରକାର ବ୍ୟାଙ୍କିଙ୍ଗ କାର୍ଯ୍ୟ ପାଇଁ ଶନିବାର ଅପେକ୍ଷା କରିବାକୁ ପଡିବ କାରଣ ଦୁଇ ଦିନିଆ ଧର୍ମଘଟ ଯୋଗୁଁ ବ୍ୟାଙ୍କ ବର୍ତ୍ତମାନ ଡିସେମ୍ବର ୧୮ରେ ଖୋଲିବ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନର ରାଜ୍ୟ ସଂଯୋଜକ ମହେଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ସଂସଦର ବର୍ତ୍ତମାନର ଅଧିବେଶନରେ କେନ୍ଦ୍ର ସରକାର ବ୍ୟାଙ୍କ ଆଇନ ସଂଶୋଧନ ବିଲ୍ ଆଣୁଛନ୍ତି, ଯାହା ଦ୍ଵାରା ଭବିଷ୍ୟତରେ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇ କରଣ ପାଇଁ ପଥ ପରିଷ୍କାର କରିବ। ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଡିସେମ୍ବର ୧୬ ଏବଂ ୧୭ ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବେ।

ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସବିଆଇ ଅର୍ଥାତ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଅଧିକାଂଶ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ସୂଚନା ଦେଇ କହିଛନ୍ତି ଯେ ଧର୍ମଘଟ ଯୋଗୁଁ ଚେକ୍ କ୍ଲିୟରାନ୍ସ ଏବଂ ଫଣ୍ଡ ଟ୍ରାନ୍ସଫର ଭଳି ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବ ଏବଂ ଦୁଇ ଦିନ ଧରି ଏହି ସମସ୍ୟା ଜାରି କରିବ।