ଗୁଜରାଟରେ ଲୁଚାଯାଉଛି କୋଭିଡ୍ ମୃତ୍ୟୁସଂଖ୍ୟା? ଅଢେ଼ଇ ମାସରେ ଜାରି କରାଯାଇଛି ୧.୨୩ ଲକ୍ଷ ମୃତ୍ୟୁ ପ୍ରମାଣପତ୍ର

ଅହମ୍ମଦାବାଦ: ସାରା ଦେଶରେ କରୋନା ବିପର୍ଯ୍ୟୟ ମଧ୍ୟରେ ଗୁଜରାଟର ଭୟାବହ କୋଭିଡ୍ ପରିସଂଖ୍ୟାନ ସାମ୍ନାକୁ ଆସିଛି। ରାଜ୍ୟରେ ଗତ ୭୧ ଦିନ ମଧ୍ୟରେ ୧.୨୦ ଲକ୍ଷରୁ ଉର୍ଦ୍ଧ୍ଵ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ଗତ ବର୍ଷ ଏହି ସମୟ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚ ୧ ରୁ ମେ ୧୦ ମଧ୍ୟରେ ରାଜ୍ୟରେ ପ୍ରାୟ ୬୧,୦୦୦ ଅଧିକ ମୃତ୍ୟୁ ଘଟିଛି। ଏକ ଗୁଜରାଟୀ ଖବରକାଗଜ ଏଭଳି ଦାବି କରିଛି । ଏହି ରିପୋର୍ଟ ଆସିବା ପରେ ଗୁଜୁରାଟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାର ତଦନ୍ତ ଦାବି କରିଛି।

ଗୁଜୁରାଟୀ ଖବରକାଗଜ ‘ଦିବ୍ୟ ଭାସ୍କର’ର ଏକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧ ରୁ ମେ ୧୦ ମଧ୍ୟରେ ଗୁଜରାଟର ସ୍ଥାନୀୟ ପୌର ସଂସ୍ଥା ଗୁଡ଼ିକ ୧,୨୩,୮୭୧ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୬୫ ହଜାର ଅଧିକ। ଗତ ବର୍ଷ ଏହି ସମୟ ମଧ୍ୟରେ ୫୮,୦୦୦ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଗୁଜୁରାଟର ୩୩ଟି ଜିଲ୍ଲା ତଥା ଆଠଟି ପ୍ରମୁଖ ସହରର ମ୍ୟୁନିସିପାଲିଟି ସଂସ୍ଥା ଦ୍ୱାରା ଦିଆଯାଇଥିବା ମୃତ୍ୟୁ ପ୍ରମାଣପତ୍ରକୁ ଆଧାର କରି ଖବରକାଗଜ ଦ୍ୱାରା ଏହି ତଥ୍ୟ ଉପସ୍ଥାପିତ କରାଯାଇଛି। ଅନ୍ୟପଟେ ସରକାରୀ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୧ ରୁ ମେ ୧୦ ମଧ୍ୟରେ ୩୩ଟି ଜିଲ୍ଲାରେ ୪୨୧୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ଏଭଳି ଭୟାନକ ପରିସଂଖ୍ୟାନ ସାମ୍ନାକୁ ପରେ ଗୁଜୁରାଟରେ କାହିଁକି ଏତେ ସଂଖ୍ୟକ ମୃତ୍ୟୁ ଘଟୁଛି ବୋଲି ପ୍ରଶ୍ନ ଉଠିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି ରାଜ୍ୟ ସରକାର ? ଏତେ ସଂଖ୍ୟକ ମୃତ୍ୟୁ ପ୍ରମାଣପତ୍ରର କରୋନା ସହିତ କୌଣସି ସମ୍ପର୍କ ଅଛି କି? ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଛି ।

ଶୁକ୍ରବାର ଗୁଜୁରାଟରେ ୯୯୯୫ଟି ନୂଆ କରୋନା ମାମଲା ରେକର୍ଡ ହୋଇଥିବାବେଳେ ୧୦୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସରକାରୀ ପରିସଂଖ୍ୟାନ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୮୯୪୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ଏବଂ ଏପର୍ଯ୍ୟନ୍ତ ମୋଟ ୭୩୫୩୪୮ ମାମଲା ରିପୋର୍ଟ ହୋଇଛି।

Comments are closed.