ମହିଳା କ୍ରିକେଟ ଦଳର କୋଚ୍ ଭାବେ ଫେରିଲେ ରମେଶ ପାୱାର

ନୂଆଦିଲ୍ଲୀ : ପୂର୍ବତନ ସ୍ପିନର ରମେଶ ପାୱାର ଦୁଇବର୍ଷ ପରେ ପୁଣି ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ଫେରିଛନ୍ତି । ମଦନ ଲାଲଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) କୋଚ୍ ପଦ ପାଇଁ ୮ ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ । ପାୱାରଙ୍କୁ ଏହି ଦାୟିତ୍ୱ ପାଇଁ ସିଏସି ମନୋନୀତ କରିଛି । ଡବ୍ଲୁଭି ରମନଙ୍କ ସ୍ଥାନ ନେଇଛନ୍ତି ପାୱାର । ସିନିୟର ଖେଳାଳି ମିତାଲି ରାଜଙ୍କ ସହ ମତଭେଦ ଯୋଗୁଁ ପାୱାରଙ୍କୁ ଦୁଇବର୍ଷ ତଳେ କାର୍ଯ୍ୟକାଳ ଅଧାରୁ କୋଚ୍ ପଦରୁ ବହିଷ୍କୃତ କରାଯାଇଥିଲା ।

ରମନଙ୍କ ସମେତ ମହିଳା ଦଳର କୋଚ୍ ପାଇଁ ମୋଟ ୩୫ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ଏହି ଦୌଡରେ ପୂର୍ବତନ କୋଚ୍ ତଥା ୱିକେଟକିପର ଅଜୟ ରାତ୍ରାଙ୍କ ସହ ଚାରି ମହିଳା ପ୍ରାର୍ଥୀ ଥିଲେ ।

ମହିଳା ଦଳର କୋଚ୍ ଭାବେ ପାୱାର ପୁଣି ଫେରିଥିବା ବେଳେ ମିତାଲିଙ୍କ ସହ ସେ କିଭଳି କାର୍ଯ୍ୟ କରିିବେ ତାହା ଦେଖିବାକୁ ରହିଲା । ଦୁଇବର୍ଷ ତଳେ ଯେବେ ପାୱାର କୋଚ୍ ଥିଲେ ଇଂଲଣ୍ଡ ବିପକ୍ଷ ଟି୨୦ ବିଶ୍ୱକପ୍ ସେମିଫାଇନାଲରୁ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳରୁ ମିତାଲିଙ୍କୁ ବାଦ୍ ଦିଆଯାଇଥିଲା । ପାୱାରଙ୍କ ନିର୍ଦ୍ଦେଶରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା ବୋଲି ମିତାଲି ଅଭିଯୋଗ କରିଥିଲେ । ପାୱାର ପାଲଟା ଅଭିଯୋଗ କରି କହିଥିଲେ ଯେ, ଦଳରେ ମିତାଲି ତାଙ୍କ କଥା ଶୁଣି ନାହାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ତେବେ ମିତାଲିଙ୍କ ଏହି ବିବାଦ ଯୋଗୁଁ ପାୱାରଙ୍କୁ ନିଜ ପଦ ହରାଇବାକୁ ପଡିଥିଲା ।

ହେଲେ ପାୱାର କୋଚ୍ ଭାବେ ନିଜ ଦକ୍ଷତା ପ୍ରମାଣିତ କରିଥିଲେ । ତାଙ୍କ କୋଚିଂରେ ଚଳିତ ବର୍ଷ ପ୍ରାରମ୍ଭରେ ମୁମ୍ବାଇ ବିଜୟ ହଜାରେ ଟ୍ରଫି ବିଜୟୀ ହୋଇଥିଲା ।

ପାୱାରଙ୍କ ସ୍ଥାନରେ ୨୦୧୮ରେ ଭାରତୀୟ ମହିଳା ଦଳର କୋଚ୍ ଦାୟିତ୍ୱ ଗ୍ରହଣ କରିଥିବା ରମନଙ୍କୁ ମଧ୍ୟ ଏବେ ପାୱାରଙ୍କ ଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ରମନଙ୍କ ତତ୍ତ୍ୱାବଧାନରେ ଗତବର୍ଷ ଭାରତ ଟି୨୦ ବିଶ୍ୱକପରେ ରନର୍ସ ଅପ୍ ହୋଇଥିଲା । ତେବେ ଚଳିତ ବର୍ଷ ମାର୍ଚ୍ଚରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଠାରୁ ଉଭୟ ଦିନିକିଆ ଓ ଟି୨୦ ସିରିଜ ପରାଜୟ ପରେ ରମନ ପଦ ବଜାୟ ରଖିବା ମୁସ୍କିଲ ହୋଇପଡିଥିଲା ।

କୋଚ୍ ଭାବେ ପ୍ରତ୍ୟାବର୍ତ୍ତନ କରିଥିବା ପାୱାରଙ୍କ ବଡ ଚ୍ୟାଲେଞ୍ଜ ହେବ ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ଦିନିକିଆ ବିଶ୍ୱକପ୍ । ତା’ ପୂର୍ବରୁ ଜୁନ ୧୬ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ଗସ୍ତ ତାଙ୍କର ପ୍ରଥମ ପ୍ରମୁଖ ସିରିଜ୍ ହେବ । ବିଶ୍ୱକପ ପୂର୍ବରୁ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ବି ରହିଛି ।

Comments are closed.