ଗୋଆ: ଅକ୍ସିଜେନ ଅଭାବରୁ ପୁଣି ୧୩ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ପାଣାଜୀ: ଅକ୍ସିଜେନ ଅଭାବରୁ ଗୋଆ ମେଡିକାଲ କଲେଜ ହସପିଟାଲ (ଜିଏମସିଏଚ)ରେ ପୁଣି କୋଭିଡ୍ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାତି ୧ଟାରୁ ସକାଳ ୬ଟା ମଧ୍ୟରେ ଆଉ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଅକ୍ସିଜେନ ଅଭାବରୁ ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ଚାରି ଦିନରେ ୭୫ ରୋଗୀଙ୍କ ମୃୃତ୍ୟୁ ହୋଇଛି ।

କୁହାଯାଉଛି ଯେ ଅମ୍ଳଜାନ ଯୋଗାଣରେ ବାଧା ଯୋଗୁଁ ଏଭଳି ଅଘଟଣ ଘଟିଛି। କିନ୍ତୁ ହସ୍ପିଟାଲ ପ୍ରଶାସନ କହିଛି ଯେ ଲଜିଷ୍ଟିକ୍ ସହାୟତା ଅଭାବରୁ ଏହି ମୃତ୍ୟୁ ଘଟିଛି।
ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ଗୋଆ ସରକାର ତିନି ଜଣିଆ ସଦସ୍ୟଙ୍କ ଏକ ଟିମ୍ ଗଠନ କରିଛନ୍ତି। ଆଇଆଇଟି ଗୋଆର ନିର୍ଦ୍ଦେଶକ ଡକ୍ଟର ବି.କେ ମିଶ୍ରଙ୍କ ନେତୃତ୍ୱରେ ଏହି କମିଟିକୁ ଜିଏମସିରେ ଅମ୍ଳଜାନ ବ୍ୟବସ୍ଥାର ପ୍ରକ୍ରିୟା ଯାଞ୍ଚ ଏବଂ ଏହାର ଉନ୍ନତି ପାଇଁ ସୁପାରିଶ କରିବାକୁ ଦାୟିତ୍ୱ ଦିଆଯାଇଛି।

କୋବିଡ ସଙ୍କଟର ମୁକାବିଲା ପାଇଁ ରାଜ୍ୟ ସରକାର ଉପଯୁକ୍ତ ବ୍ୟବସ୍ଥା କରୁ ନ ଥିବା ଅଭିଯୋଗ କରି ବମ୍ବେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବି ଚାଲିଛି। କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ନିଶ୍ଚିତ କରନ୍ତୁ ଯେ ଗୋଆକୁ ଯଥାଶୀଘ୍ର ଏହାର ଅକ୍ସିଜେନ କୋଟା ମିଳୁ। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

Comments are closed.