ଭାରତରେ ଲଞ୍ଚ୍ ହେଲା ରୁଷିଆର କୋଭିଡ ଟିକା ‘ସ୍ପୁଟନିକ୍-ଭି’, ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା

ନୂଆଦିଲ୍ଲୀ: ରୁଷିଆର କରୋନା ଭ୍ୟାକ୍ସିନ୍ ସ୍ପୁଟନିକ୍-ଭି ଭାରତରେ ଲଞ୍ଚ୍ କରାଯାଇଛି । ଏହାର ମୂଲ୍ୟ ମଧ୍ୟ ଘୋଷଣା ହୋଇଛି । ଭାରତରେ ଏହାର ମାର୍କେଟିଂ କମ୍ପାନୀ ଡକ୍ଟର ରେଡ୍ଡୀସ୍ ଅନୁଯାୟୀ ସ୍ପୁଟନିକ୍ଭି-ଭିର ଗୋଟିଏ ଡୋଜ୍ ପ୍ରାୟ ୧୦୦୦ ଟଙ୍କାରେ ଉପଲବ୍ଧ ହେବ। ଅର୍ଥାତ୍ ଏହି ରୁଷୀୟ ଟିକାର ଦୁଇଟି ଡୋଜ୍ ପାଇଁ ପ୍ରାୟ ୨୦୦୦ ଟଙ୍କା (ଆଡମିନିଷ୍ଟ୍ରେସନ୍ ଚାର୍ଜ ଅଲଗା) ଖର୍ଚ୍ଚ କରିବାକୁ ପଡିବ ।

ଡକ୍ଟର ରେଡ୍ଡୀସ୍ ପକ୍ଷରୁ ଆଜି ଜାରି ଏକ ବିବୃତିରେ କୁହାଯାଇଛି ଯେ ସ୍ପୁଟନିକ୍-ଭି ର ମୂଲ୍ୟ ଡୋଜ ପିଛା ୯୪୮ ଟଙ୍କା ହେବ ଏବଂ ପୃଥକ ଭାବରେ ୫% ଜିଏସଟି ଦେବାକୁ ପଡିବ। ୯୪୮ ଟଙ୍କାର ୫% ଜିଏସଟି ହେଉଛି ୪୭.୪୦ ଟଙ୍କା | ଏହିପରି ଭାବେ ଗୋଟିଏ ଡୋଜ୍ ସ୍ପୁଟନିକ୍-ଭି ର ମୋଟ ମୂଲ୍ୟ ୯୯୫.୪୦ ଟଙ୍କା ହେବ |

ତେବେ ଡକ୍ଟର ରେଡ୍ଡୀସ୍ ପକ୍ଷରୁ କୁହାଯାଇଛି ଯେ ଭାରତରେ ଏହି ଟିକାର ଉତ୍ପାଦନ ଆରମ୍ଭ ହେଲେ ମୂଲ୍ୟ ହ୍ରାସ ହୋଇପାରେ। ସୂଚନାଯୋଗ୍ୟ ଯେ ଏହି ଟିକା ବର୍ତ୍ତମାନ ରୁଷରେ ଉତ୍ପାଦିତ ହେଉଛି ଏବଂ ସେଠାରୁ ମେ ୧ରେ ଏହି ଟିକାର ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିଥିଲା।

ଡାକ୍ତରୀ ପତ୍ରିକା ‘ଦ ଲାନସେଟ୍’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ସ୍ପୁଟନିକ୍-ଭି କୋଭିଡ ଜନିତ ଭୟଙ୍କର ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଥାଏ। ‘ସ୍ପୁଟନିକ୍-ଭି’
ଟିକା ସଂକ୍ରମଣ ରୋକିବାରେ ୯୧.୬ ପ୍ରତିଶତ ପ୍ରଭାବୀ ବୋଲି ଏହାର ନିର୍ମାତା ପକ୍ଷରୁ ଦାବି କରାଯାଇଛି । ଏହି ଟିକା ଦୁଇଟି ଡୋଜର ରେ ପ୍ରୟୋଗ କରାଯାଏ | ଦ୍ବିତୀୟ ଡୋଜ୍ ୨୧ ଦିନର ବ୍ୟବଧାନ ପରେ ଦେବାକୁ ପଡ଼ିବ | ଏହା ଭାରତରେ ଉପଲବ୍ଧ ତୃତୀୟ କୋଭିଡ୍ ଟିକା ହେବ। ଏହାପୂର୍ବରୁ ଭରତ ବାୟୋଟେକର କୋଭାକ୍ସିନ ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକାର କୋଭିଶିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ଦିଆଯାଇସାରିଛି।

Comments are closed.