ଶ୍ରୀ ମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପାଳିତ

ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗି ହୋଇଥିଲା । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ ସପ୍ତପୁରୀ (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥିଲା । ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ ।

ଅଠର ନଳା ନିକଟରେ ଅବସ୍ଥିତ ଅଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଅମାବାସ୍ୟାରେ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରକୁ ଯାଇଥିଲା । ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ଦିନ କୁମ୍ଭାର ବିଶୋଇ ମାନେ ମୁହଁରେ ବାଘମୁହାଁ ବାନ୍ଧି ସାତପୁରୀ ତାଡ଼କୁ ମୁଣ୍ଡରେ ମୁଣ୍ଡାଇ ଘଣ୍ଟ,ଛତା,କାହାଳୀ ସହ ସିଂହଦ୍ୱାର ଦେଇ ଘେନାଣ ନିମନ୍ତେ ଦ୍ୱିପ୍ରହର ଧୂପପରେ ଅଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ପୂଜା ପାଇଁ ନେଇଥିଲେ ।
ଶ୍ରୀ ଜୀଉ ମାନଙ୍କ ଦ୍ବୀପହର ଧୂପ ପରେ ଏକ ଆଜ୍ଞାମାଳ କାଲିକା ଦେବୀ ସାହି ସ୍ଥିତ ଦକ୍ଷିଣ କାଳୀ ମନ୍ଦିରକୁ ବିଜେ କରିଥିଲେ।ସେହିପରି ଦକ୍ଷିଣ କାଳୀଙ୍କ ଏକ ଆଜ୍ଞାମାଳ ଶ୍ରୀମନ୍ଦିର ର ସପ୍ତପୁରୀ ରୋଷଶାଳ କୁ ବିଜେ କରିଥିଲେ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞା ମାଳ ସର୍ବତ୍ର ବିଜେ ହେଉଥିବା ବେଳେ ବର୍ଷରେ ଏହି ଗୋଟିଏ ଦିନ ଦକ୍ଷିଣ କାଳୀଙ୍କ ଏକ ଆଜ୍ଞାମାଳ ଶ୍ରୀ ମନ୍ଦିର କୁ ବିଜେ କରିଥାଏ। ଏହି ବିଶେଷ ନୀତି ସମ୍ପାଦନ ପରେ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତି ବଢିଥିଲା।

Comments are closed.