କାନାଡାରେ ସିରିଜ୍ ଛୁରାମାଡ଼, ୧୦ ମୃତ, ୧୫ ଆହତ

ଟରୋଣ୍ଟୋ : କାନାଡାର ସେଣ୍ଟ୍ରାଲ ସସ୍କାଚେୱାନ ପ୍ରଦେଶରେ ସିରିଜ୍ ଛୁରାମାଡ଼ ଯୋଗୁଁ ଆତଙ୍କ ଖେଳିଯାଇଛି । ଏହି ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

୧୩ଟି ବିଭିନ୍ନ ସ୍ଥାନରେ ଏପରି ଛୁରାମାଡ ଘଟଣା ରିପୋର୍ଟ ହୋଇଥିବା ପୋଲିସ କହିଛି । ପୋଲିସ ଏହି ଆକ୍ରମଣରେ ସମ୍ପୃକ୍ତ ଦୁଇଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି । ପୋଲିସ ୩୧ ବର୍ଷୀୟ ଡେମାଇନ୍ ସାଣ୍ଡରସନ ଏବଂ ୩୦ ବର୍ଷୀୟ ମିଲ୍ସ ସାଣ୍ଡରସନଙ୍କୁ ଏହି ଆକ୍ରମଣର ସନ୍ଦିଗ୍ଧ ଭାବେ ଚିହ୍ନଟ କରିଛି । ଦୁହେଁ ଏବେ ଫେରାର ଅଛନ୍ତି।

ନିକଟସ୍ଥ ବାସିନ୍ଦାଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସସ୍କାଚୱାନର ରୟାଲ କାନାଡା ମାଉଣ୍ଟେଡ ପୋଲିସ ଟ୍ୱିଟ କରି ସୁରକ୍ଷିତ ସ୍ଥାନ ଛାଡ଼ି କେଉଁଆଡେ ନ ଯିବାକୁ ଏବଂ ଅଚିହ୍ନା ଲୋକଙ୍କୁ ଘରେ ପ୍ରବେଶ କରିବାକୁ ନ ଦେବାକୁ ଲୋକଙ୍କୁ ଅପିଲ କରିଛି ।

ପୋଲିସ ବିଭିନ୍ନ ସ୍ଥାନରେ ଚେକପଏଣ୍ଟ ଲଗାଇଛି। ଯାତ୍ରୀମାନଙ୍କୁ ପୋଲିସ କଡ଼ା ଯାଞ୍ଚ କରୁଛି। କାହାକୁ ଲିଫ୍ଟ ନଦେବାକୁ ପୋଲିସ ଡ୍ରାଇଭରମାନଙ୍କୁ ଅନୁରୋଧ କରିଛି। ଜେମ୍ସ ସ୍ମିଥ କ୍ରି ନେସନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଏହି ଅଞ୍ଚଳରେ ପୋଲିସ ସମସ୍ତଙ୍କ ମୋବାଇଲରେ ଆଲର୍ଟ ପଠାଇଛି।

ଏହି ଆକ୍ରମଣକୁ ଭୟଙ୍କର ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି। ଯେଉଁମାନେ ନିଜ ଆତ୍ମୀୟଙ୍କୁ ହରାଇଛନ୍ତି ଏବଂ ଏହି ଆକ୍ରମଣରେ ଆହତ ହୋଇଛନ୍ତି ସେମାନଙ୍କ ବିଷୟରେ ମୁଁ ଚିନ୍ତିତ ବୋଲି ଟ୍ରୁଡୋ କହିଛନ୍ତି।

ରବିବାର ସନ୍ଧ୍ୟାରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ଏହି ଆକ୍ରମଣରେ ଆହତଙ୍କ ସଂଖ୍ୟା ଅଧିକ ହୋଇପାରେ। ପୋଲିସ କହିଛି, ଯେଉଁମାନଙ୍କ ପରିବାର ଆହତମାନଙ୍କୁ ନିଜେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି, ସେମାନେ ତୁରନ୍ତ ପୋଲିସକୁ ଜଣାଇବା ଉଚିତ।

Comments are closed.