ପାକିସ୍ତାନର କରାଚିରେ ବିସ୍ଫୋରଣ, ୧୦ ମୃତ

କରାଚି: ପାକିସ୍ତାନର କରାଚିର ଶେରଶାହ ପାରାଚା ଚୌକ୍ ଅଞ୍ଚଳରେ ଶନିବାର ଏକ ବିସ୍ଫୋରଣରେ ଅନେକ ମୃତାହତ ହୋଇଛନ୍ତି। ଆଜି ଅପରାହ୍ନରେ ଉକ୍ତ ଅଞ୍ଚଳର ଏକ କୋଠାରେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ଆହତ ବି ହୋଇଛନ୍ତି। କୁହାଯାଉଛି ଯେ ଏହି ବିସ୍ଫୋରଣ ଏକ ଘରୋଇ ବ୍ୟାଙ୍କ ନିକଟରେ ଥିବା ସାଇଟ ଅଞ୍ଚଳରେ ଘଟିଥିଲା, ଯେଉଁ କାରଣରୁ ଏହି ଅଞ୍ଚଳରେ ଅବସ୍ଥିତ ଅନ୍ୟ ଅଟ୍ଟାଳିକା ମଧ୍ୟ ନଷ୍ଟ ହୋଇଯାଇଥିଲା। ପୋଲିସ ଏବଂ ଉଦ୍ଧାର ଦଳ ବିସ୍ଫୋରଣ ସ୍ଥଳରେ ପହଞ୍ଚିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣରେ ୧୨ ଜଣ ଆହତ ହୋଇଥିବା ଜଣାଯାଇଛି। ପୋଲିସର ସୂଚନାନୁସାରେ, ବିସ୍ଫୋରଣର କାରଣ କଣ ତାହା ଯାଞ୍ଚ୍ କରାଯାଉଛି । ବୋମା ନିଷ୍କ୍ରିୟକାରୀ ଦଳ ବିସ୍ଫୋରଣ ସ୍ଥଳରେ ପହଞ୍ଚିଛି। ପୋଲିସ ଏବଂ ରେଞ୍ଜର୍ସ ଅଧିକାରୀମାନେ ଏହି ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛନ୍ତି ।।

ଏସ୍ଏଚ୍ଓ ଜାଫର ଅଲି ଶାହା କହିଛନ୍ତି ଯେ ଏହି ବିସ୍ଫୋରଣ ଏକ ବ୍ୟାଙ୍କ ତଳେ ଥିବା ଏକ ଡ୍ରେନରେ ଘଟିଛି। ବିଲ୍ଡିଂ ତଳେ ଥିବା ଡ୍ରେନ୍‌ରେ ଗ୍ୟାସ୍ ଜମା ହେବା କାରଣରୁ ଏହି ବିସ୍ଫୋରଣ ଘଟିଥିବାର ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଡ୍ରେନ୍ ସଫା ହୋଇପାରିବ ବୋଲି ଘର ଖାଲି କରିବାକୁ ବ୍ୟାଙ୍କକୁ ନୋଟିସ୍ ଜାରି କରାଯାଇଛି ବୋଲି ଏସ୍ଏଚ୍ଓ କହିଛନ୍ତି। ବିସ୍ଫୋରଣରେ ନିକଟସ୍ଥ ପେଟ୍ରୋଲ ପମ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Comments are closed.