ରାମନବମୀରେ ଇନ୍ଦୋର ମନ୍ଦିରରେ ଅଘଟଣ, କୂଅ ଛାତ ଧସି ୧୧ ମୃତ

ଇନ୍ଦୋର: ମଧ୍ୟ ପ୍ରଦେଶର ଇନ୍ଦୋରରେ ଗୁରୁବାର ରାମନବମୀ ପାଳନ ବେଳେ ବଡ଼ ଅଘଟଣ ଘଟିଛି। ଏଠାରେ ଏକ ମନ୍ଦିର ଭିତରେ ଏକ କୂଅର ଛାତ ଧସିଯିବାରୁ ଅତିକମରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଅତ୍ୟଧିକ ଚାପ ଯୋଗୁଁ କୂଅ ଛାତ ଭୁଶୁଡ଼ି ପଡ଼ିଥିଲା । କୂଅ ଭିତରକୁ ପ୍ରାୟ ୩୦ ଲୋକ ଖସି ପଡ଼ିଥିଲେ । ଏହି ଘଟଣା ଇନ୍ଦୋରର ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ଘଟିଛି। ଏହି କୂଅ ବହୁତ ପୁରୁଣା ଓ ୫୦-୬୦ ଫୁଟ ଗଭୀର ବୋଲି କୁହାଯାଇଛି |

ରାମ ନବମୀ ଅବସରରେ ମନ୍ଦିରରେ ନାମଯଜ୍ଞ ଚାଲୁଥିବା ବେଳେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା ।

ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଏଯାବତ୍ ୧୧ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଧାର୍ମିକ କାର୍ଯ୍ୟକ୍ରମ ସମୟରେ ମନ୍ଦିରର ବହୁ ପୁରୁଣା କୂଅ ଛାତ ଉପରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଯୋଗୁ ଛାତଟି ଚାପ ସମ୍ଭାଳି ନ ପାରି ଭୁଶୁଡ଼ି ପଡ଼ିଥିଲା।

ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଇନ୍ଦୋର ଜିଲ୍ଲା କଲେକ୍ଟର ତଥା କମିଶନରଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.