ଟ୍ରକ୍ ସହ ଧକ୍କା ପରେ ଜଳିଗଲା ଯାତ୍ରୀବାହୀ ବସ୍, ୧୧ ମୃତ

ନାସିକ: ଆଜି ସକାଳେ ମହାରାଷ୍ଟ୍ରର ନାସିକରେ ଏକ ବିଳାସପୂର୍ଣ୍ଣ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ବି ରହିଛି | ଏହାଛଡ଼ା ଏହି ଅଘଟଣରେ ୩୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ସ୍ଥାନୀୟ ପୋଲିସ କହିଛି ।

ସକାଳ ପ୍ରାୟ ୫ ଟା ସମୟରେ ନାସିକର ନନ୍ଦୁର ନାକା ମିର୍ଚି ହୋଟେଲ ନିକଟରେ ଔରଙ୍ଗାବାଦ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଏକ କଣ୍ଟେନର ସହ ଧକ୍କା ହେବା ପରେ ବସରେ ନିଆଁ ଲାଗି ଯାଇଥିଲା। ଏହି ବସ୍ ୟାବତମଲରୁ ମୁମ୍ବାଇ ଯାଉଥିବାବେଳେ ନାସିକରୁ ପୁଣେ ଆସୁଥିବା କଣ୍ଟେନର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା କ୍ଷଣି ଅଧିକାରୀମାନେ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

Comments are closed.