ହାଇଦ୍ରାବାଦ: ସ୍କ୍ରାପ୍ ଗୋଦାମରେ ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦର ବୋଇଗୁଡା ଅଞ୍ଚଳରେ ଏକ ସ୍କ୍ରାପ୍ ଗୋଦାମରେ ନିଆଁ ଲାଗିଯିବାରୁ ୧୧ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି | ମୃତକମାନେ ବିହାରର ବୋଲି ଜଣାପଡ଼ିଛି । ସେମାନେ ଏହି ଗୋଦାମରେ କାମ କରୁଥିଲେ | ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି | ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ହାଇଦ୍ରାବାଦ ଡିସିପି ସେଣ୍ଟ୍ରାଲ ଜୋନ୍ କହିଛନ୍ତି ଯେ ସମସ୍ତ ୧୧ ଟି ମୃତଦେହକୁ ବାହାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ନିହତ ହୋଇଥିବା ସମସ୍ତ ଶ୍ରମିକ ବିହାରର ଥିଲେ।

ଗାନ୍ଧୀ ନାଗର ଏସ୍ଏଚ୍ଓ ମୋହନ ରାଓ କହିଛନ୍ତି ଯେ ଅଗ୍ନିକାଣ୍ଡ ସମୟରେ ଗୋଦାମରେ ୧୨ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି | ଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି | ତେବେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଥିବା ବେଳେ ତଦନ୍ତ ପରେ ହିଁ ଏହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ଅଗ୍ନିକାଣ୍ଡରେ ବିହାରର ଶ୍ରମିକଙ୍କ ମୃତ୍ୟୁକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଶ୍ରମିକଙ୍କ ମୃତଦେହ ବିହାରକୁ ପଠାଇବା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.