ପ୍ରଧାନ ବିଚାରପତିଙ୍କୁ ୧୧୭ ବୁଦ୍ଧିଜୀବୀଙ୍କ ଖୋଲା ଚିଠି, ନୂପୁର ଶର୍ମାଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ କହିଲେ ଦୁର୍ଭାଗ୍ୟଜନକ

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜେବି ପାରଦୀୱାଲା କରିଥିବା ଟିପ୍ପଣୀକୁ ନେଇ ବିବାଦ ଜାରି ରହିଛି। ଏବେ ଏହି ପ୍ରସଙ୍ଗରେ ଭାରତର ପ୍ରଧାନ ବିଚାରପତିଙ୍କ ନିକଟକୁ ଦେଶର ୧୧୭ ମାନ୍ୟଗଣ୍ୟ ତଥା ବୁଦ୍ଧିଜୀବୀ ବ୍ୟକ୍ତି ଖୋଲା ଚିଠି ଲେଖି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜେବି ପାରଦୀୱାଲାଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନିକଟକୁ ଖୋଲା ଚିଠି ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ହାଇକୋର୍ଟର ପୂର୍ବତନ ବିଚାରପତି, ପୂର୍ବତନ ଡିଜିପି, ସିବିଆଇ ନିର୍ଦ୍ଦେଶକ, ରାଷ୍ଟ୍ରଦୂତଙ୍କ ସହ ୭୭ ଅମଲାତନ୍ତ୍ରୀ ଏବଂ ୨୫ ଜଣ ପୂର୍ବତନ ସେନା ଅଧିକାରୀ ରହିଛନ୍ତି ।

ଏହି ଚିଠିରେ କୁହାଯାଇଛି ଯେ ନୂପୁର ଶର୍ମାଙ୍କ ଉପରେ କୋର୍ଟଙ୍କ ମନ୍ତବ୍ୟରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବିଭିନ୍ନ ରାଜ୍ୟ ଏବଂ ସହରରେ ରୁଜୁ ହୋଇଥିବା ମାମଲାର ଏକାଠି ଶୁଣାଣି କରିବା ଦାବି ଯେକୌଣସି ନାଗରିକଙ୍କର ଆଇନଗତ ଅଧିକାର | ସମାନ ଅପରାଧ ପାଇଁ ଏକାଧିକ ଥର ଦଣ୍ଡ ଦିଆଯାଇପାରିବ ନାହିଁ | ବିନା କାରଣରେ ସୁପ୍ରିମକୋର୍ଟ ନୂପୁରଙ୍କ ଆବେଦନର ଶୁଣାଣି କରିବାକୁ ମନା କରିଦେଇଥିଲେ । ଏହାଛଡ଼ା ସର୍ବୋଚ୍ଚ ନ୍ୟାୟାଳୟ କରିଥିବା ଟିପ୍ପଣୀ ଅଯୌକ୍ତିକ ଥିଲା ।

ଏହି ଚିଠିର ଦସ୍ତଖତକାରୀମାନେ କୋର୍ଟର ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ଏବଂ ନ୍ୟାୟିକ ନୈତିକତା ଏବଂ ନୀତି ବିରୁଦ୍ଧ ବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ ନ୍ୟାୟିକ ପ୍ରକ୍ରିୟା ତଥା ତାଙ୍କ ଅଧିକାର ମୁତାବକ ସୁରକ୍ଷା ଏବଂ ଆଶ୍ବସ୍ତି ପାଇଁ ନୂପୁର ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ଆବେଦନର ଆଧାର ଏବଂ ଆବେଦନକାରୀଙ୍କ ପ୍ରାର୍ଥନା ସହିତ କୋର୍ଟଙ୍କ ଟିପ୍ପଣୀ ମେଳ ଖାଉ ନଥିଲା।

ନ୍ୟାୟିକ ପ୍ରକ୍ରିୟା ସହିତ ଜଡିତ ବ୍ୟକ୍ତିବିଶେଷ କୋର୍ଟଙ୍କ ଟିପ୍ପଣୀ ଦ୍ବାରା ଆଶ୍ଚର୍ଯ୍ୟ ହୋଇଛନ୍ତି । କୋର୍ଟଙ୍କ ଏପରି ମନ୍ତବ୍ୟ ଅସାମ୍ବିଧାନିକ | ଏହିପରି ମନ୍ତବ୍ୟ ପ୍ରତ୍ୟାହାର କରାଯିବା ଉଚିତ୍ ବୋଲି ପ୍ରଧାନ ବିଚାରପତିଙ୍କୁ ନିଜ ଚିଠିରେ ୧୧୭ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ନୂପୁର ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ସୁପ୍ରିମକୋର୍ଟ ତାଙ୍କୁ ପ୍ରଫେଟ୍ ମହମ୍ମଦଙ୍କ ଉପରେ ମନ୍ତବ୍ୟ ପାଇଁ ଭର୍ତ୍ସନା କରିଥିଲେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜେବି ପାରଦୀୱାଲାଙ୍କ ଖଣ୍ଡପୀଠ କହିଥିଲେ ଯେ ଦେଶରେ ଆଜି ଯାହା ଘଟୁଛି ସେଥିପାଇଁ ନୂପୁର ଶର୍ମା ହିଁ ଦାୟୀ। ନୂପୁରଙ୍କ ଆବେଦନ ମଧ୍ୟ ଖାରଜ କରିଦେଇଥିଲେ କୋର୍ଟ ।

Comments are closed.