ମହାରାଷ୍ଟ୍ର ଭୂଷଣ ପୁରସ୍କାର ଉତ୍ସବରେ ଅଘଟଣ, ଅଂଶୁଘାତରେ ୧୧ ମୃତ

ମୁମ୍ବାଇ: ନବି ମୁମ୍ବାଇରେ ଶନିବାର ମହାରାଷ୍ଟ୍ର ଭୂଷଣ ପୁରସ୍କାର ଉତ୍ସବ ବେଳେ ଅସହ୍ୟ ଖରା ଯୋଗୁଁ ୧୧ ଜଣ ପ୍ରାଣ ହରାଇଛନ୍ତି ।

ନବି ମୁମ୍ବାଇର ଖାର୍ଗରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଲୋକମାନେ ପ୍ରବଳ ଖରାରେ ବସିଥିଲେ ‌। ଫଳରେ ଅଂଶୁଘାତ ଯୋଗୁଁ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାଛଡ଼ା ୧୦୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉକ୍ତ ପୁରସ୍କାର ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କାମୋଥଠେ ସ୍ଥିତ ଏମଜିଏମ ହସ୍ପିଟାଲରେ ପହଞ୍ଚି ଆହତ ଲୋକଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ସିନ୍ଦେ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ସ୍ଥାନୀୟ ଲୋକ ଓ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ଯେ ପୁରସ୍କାର ଉତ୍ସବ ପାଇଁ ଆୟୋଜନ ନିମ୍ନମାନର ଥିଲା । ୪୦ ଡିଗ୍ରୀ ତାତିରେ ବି ଲୋକମାନଙ୍କୁ ଖୋଲାରେ ବସିବାକୁ ପଡ଼ିଥିଲା ।

Comments are closed.