ରାଜ୍ୟର ୧୦ଟି ଆକାଂକ୍ଷା ଜିଲ୍ଲାର ଇନଚାର୍ଜ ଭାବେ ୧୦ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ୧୦ଟି ଆକାଂକ୍ଷା ଜିଲ୍ଲାର ଇନଚାର୍ଜ ଭାବେ ୧୦ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର। ଏହି ଅଧିକାରୀମାନେ ଆକାଂକ୍ଷା ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ, ଶିକ୍ଷା, କୃଷି ଓ ଜଳସମ୍ପଦ, ବିତ୍ତୀୟ ସମାବେଶ ଓ ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି ଭଳି ୫ଟି କ୍ଷେତ୍ରରେ ୪୯ଟି ମାନଦଣ୍ଡର ପ୍ରଦର୍ଶନକୁ ମାସିକ, ତ୍ରୈମାସିକ ଓ ବାର୍ଷିକ ଭିତ୍ତିରେ ତଦାରଖ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି ।

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ ବଲାଙ୍ଗିର, ଶ୍ରମ ସଚିବ ଆର.ସନ୍ଥଗୋପାଳନଙ୍କୁ ଢେଙ୍କାନାଳ, ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗମଙ୍କୁ ଗଜପତି, ପଂଚାୟତିରାଜ ସ୍ପେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆଙ୍କୁ କଳାହାଣ୍ଡି, ମତ୍ସ୍ୟ ଓ ପଶୁସମ୍ପଦ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ କନ୍ଧମାଳ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ, ସମବାୟ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢ଼ାଙ୍କୁ ମାଲକାନଗିରି, ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ନୂଆପଡ଼ା ଓ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କୁ ରାୟଗଡ଼ା ଜିଲ୍ଲାର ଇନଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି ।

Comments are closed.