ମଣିପୁରରେ ପୁଣି ହିଂସା, ୩ ମୃତ

ଇମ୍ଫାଲ : ଅଶାନ୍ତ ମଣିପୁରରେ ପୁଣି ଘଟିଛି ରକ୍ତପାତ । ରାଜ୍ୟର କାଙ୍ଗପୋକପି ଜିଲ୍ଲାରେ ମଙ୍ଗଳବାର ଗୁଳି ବିନିମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ପୋଲିସର ସୂଚନା ଅନୁଯାୟୀ ଏହି ଆକ୍ରମଣରେ ନିହତ ଲୋକମାନେ କୁକି-ଜୋ ସମ୍ପ୍ରଦାୟର ।

ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ କାଙ୍ଗପୋକପି ଜିଲ୍ଲାର ଇରେଙ୍ଗ ନାଗା ଗ୍ରାମ ନିକଟରେ ଏକ ଗାଡିରେ ଯାଉଥିବା ବେଳେ ତିନି ଜଣ ଗ୍ରାମବାସୀଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଗତ ଚାରିମାସ ଧରି ମଣିପୁରରେ ଜାତିଗତ ହିଂସା ଯୋଗୁଁ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ ଗତ ଶୁକ୍ରବାର ପାଲେଲ ଅଞ୍ଚଳରେ ଆଖିବୁଜା ଗୁଳି ବିନିମୟରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଅନେକ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ଜଣେ ଆସାମ ରାଇଫଲ ଏବଂ ତିନି ଜଣ ମଣିପୁର ପୋଲିସ କର୍ମଚାରୀ ରହିଥିଲେ।

ସଦ୍ୟତମ ଘଟଣାରେ ନିରୀହ କୁକି-ଜୋ ଗ୍ରାମବାସୀଙ୍କ ଏପରି ନିର୍ମମ ହତ୍ୟାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଦିବାସୀ ଏକତା ସମିତି ଏକ ବିବୃତ୍ତିରେ ଚେତାବନୀ ଦେଇଛି ।

ରାଜ୍ୟ ସରକାରଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଆଦିବାସୀ କମିଟି କହିଛି, “ସରକାର କିପରି ଏହିପରି ନିଷ୍ଠୁର ତଥା ରକ୍ତ ପିପାସୁ ତତ୍ତ୍ଵ ମାନଙ୍କୁ ନାକ ତଳେ ଦିନ ଦିପହରେ ଆକ୍ରମଣ ଏବଂ ଜଳାପୋଡ଼ା କରିବାକୁ କିପରି ଅନୁମତି ଦେଇ ପାରିବେ ? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତୁରନ୍ତ ସମସ୍ତ ଉପତ୍ୟକା ଜିଲ୍ଲାକୁ ସଶସ୍ତ୍ର ବାହିନୀ ଆଇନ ଅନୁଯାୟୀ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା କରିବାକୁ ଦାବି କରିଛି ଏହି କମିଟି ।

ମଣିପୁରର ଜନବହୁଳ ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବି ବିରୋଧରେ ମେ ୩ରେ ପାହାଡ଼ିଆ ଜିଲ୍ଲା ଗୁଡ଼ିକରେ ‘ଆଦିବାସୀ ଏକତା ପଦଯାତ୍ରା’ ବେଳେ ରାଜ୍ୟରେ ହିଂସା ଆରମ୍ଭ ହୋଇଥିଲା। ସେବେଠାରୁ ଜାତିଗତ ହିଂସାରେ ୨୦୦ ଲୋକ ପ୍ରାଣ ହରାଇଲେଣି।

ମୈତେଇମାନେ ମଣିପୁରର ସମୁଦାୟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ଏବଂ ଏମାନେ ଇମ୍ଫାଲ୍ ଘାଟିରେ ବସବାସ କରନ୍ତି । ଅନ୍ୟପକ୍ଷରେ ଆଦିବାସୀ ନାଗା ଏବଂ କୁକି ସମ୍ପ୍ରଦାୟ ଲୋକଙ୍କ ସଂଖ୍ୟା ୪୦ ପ୍ରତିଶତ । ଏମାନେ ପାହାଡ଼ିଆ ଜିଲ୍ଲାରେ ବାସ କରନ୍ତି।

Comments are closed.