ନର୍ମଦା ନଦୀକୁ ଖସି ପଡ଼ିଲା ବସ୍, ୧୩ ମୃତ

ଇନ୍ଦୋର: ମଧ୍ୟପ୍ରଦେଶରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜ୍ୟର ଧାର୍ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ନର୍ମଦା ନଦୀରେ ଖସି ପଡ଼ିବାରୁ ୧୩ ଜଣ ପ୍ରାଣ ହରାଇଛନ୍ତି । ଏପର୍ଯ୍ୟନ୍ତ ନଦୀରୁ ୧୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ ଆଗ୍ରା-ମୁମ୍ବାଇ (ଏବି ରୋଡ୍) ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଏହି ରାଜପଥ ଇନ୍ଦୋରକୁ ମହାରାଷ୍ଟ୍ର ସହିତ ସଂଯୋଗ କରେ | ଇନ୍ଦୋରଠାରୁ ପ୍ରାୟ ୮୦ କିଲୋମିଟର ଦୂର ଖଲଘାଟ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି | ବସଟି ଭାରସାମ୍ୟ ହରାଇ ପୋଲ ରେଲିଂ ଭାଙ୍ଗି ନଦୀରେ ଖସି ପଡ଼ିଥିଲା । ଦୁର୍ଘଟଣା ବସ୍ ମହାରାଷ୍ଟ୍ର ରୋଡଓ୍ବେଜର ବୋଲି ଜଣାପଡ଼ିଛି। ଏହି ବସ୍ ମଧ୍ୟ ପ୍ରଦେଶର ଇନ୍ଦୋରରୁ ମହାରାଷ୍ଟ୍ରର ପୁଣେ ଯାଉଥିଲା । ବସରେ ୫୦ରୁ ୬୦ ଯାତ୍ରୀ ଥିଲେ ବୋଲି କୁହାଯାଇଛି ।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଖରଗୋନ ଜିଲ୍ଲାପାଳଙ୍କ ସହ ଫୋନରେ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ବିଷୟରେ ପଚାରି ବୁଝିଛନ୍ତି। ଉଦ୍ଧାର କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଖାରଗୋନ, ଧାର୍ ଏବଂ ଇନ୍ଦୋର ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି।

Comments are closed.