ଉତ୍ତର ପ୍ରଦେଶ :ହଳଦୀ ବେଳେ ଅଘଟଣ, କୂଅରେ ଖସିପଡ଼ି ୧୩ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୁଶୀନଗରରେ ଏକ କୂଅରେ ଖସିପଡ଼ି ଛୋଟ ପିଲାଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ବିବାହ ଉତ୍ସବରେ ମହିଳା ଓ ଝିଅମାନେ କୂଅ କୂଳରେ ଠିଆ ହୋଇଥିବା ବେଳେ ଏହି ଅଘଟଣ ଘଟିଥିଲା। ହଠାତ୍ କୂଅ ଉପରେ ଥିବା ଲୁହା ସ୍ଲାବ୍ ଭାଙ୍ଗିଯିବାରୁ ସେମାନେ କୂଅକୁ ଖସି ପଡ଼ିଥିଲେ | ଏକ ବିବାହ ଉତ୍ସବ ପାଇଁ ହଳଦୀ ଚାଲିଥିବା ବେଳେ ଏହି ଦୁଖଦ ଘଟଣା ଘଟିଛି।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଏବଂ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୂଅରୁ ୧୧ ଜଣଙ୍କ ମୃତଦେହ ବାହାର କରିଥିଲେ। ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଶାସନ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ପୋଲିସ ଆଶଙ୍କା ପ୍ରକାଶ କରିଛି। ଏପର୍ଯ୍ୟନ୍ତ ୧୧ ଶବ ବ୍ୟବଚ୍ଛେଦ ପାଇଁ ପହଞ୍ଚିଛି |

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.