ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ସହ ଭୂସ୍ଖଳନ, ୧୩ ମୃତ, ୪୦ ନିଖୋଜ

ଜାମ୍ମୁ: ଜାମ୍ମୁ କାଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ହଠାତ୍ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପ୍ରାୟ ୪୦ ଜଣ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି |

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣା ସମ୍ବନ୍ଧୀୟ ସୂଚନା ପାଇଁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି।

ଅପରାହ୍ନ ପ୍ରାୟ ୫:୩୦ ସମୟରେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିବା ଯୋଗୁଁ ଜଳ ପ୍ରଳୟ ସୃଷ୍ଟି ହୋଇଥିଲା | ଘଟଣାସ୍ଥଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ପହଲଗାମ ଯୁଗ୍ମ ପୋଲିସ ନିୟନ୍ତ୍ରଣ କକ୍ଷ ତରଫରୁ କୁହାଯାଇଛି। ଏନଡିଆରଏଫ ଡିଜି ଅତୁଲ କରୱାଲ କହିଛନ୍ତି ଯେ ଅମରନାଥରେ ବାଦଲ ଫଟା ବର୍ଷା ଯୋଗୁଁ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ତିନି ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। କରୱାଲ କହିଛନ୍ତି ଯେ ଏନଡିଆରଏଫ୍ ର ଗୋଟିଏ ଟିମ୍ ସର୍ବଦା ଅମରନାଥ ଗୁମ୍ଫା ନିକଟରେ ରହିଥାନ୍ତି | ବାଦଲ ଫାଟିବା ମାତ୍ରେ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ଆଇଟିବିପି ଅନୁଯାୟୀ ଅମରନାଥ ପୀଠ ନିକଟରେ ଥିବା କିଛି ରୋଷେଇ ଶାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆହତମାନଙ୍କୁ ଆଣିବା ପାଇଁ ହେଲିକପ୍ଟର ପଠାଯାଇଛି। ବାଦଲ ଫାଟିବା ଯୋଗୁଁ ପର୍ବତରୁ ପ୍ରବଳ ବେଗରେ ଜଳ ଏବଂ ପଥର ଖଣ୍ଡ ମାଡ଼ି ଆସିଥିଲା | ବର୍ତ୍ତମାନ ଜଳସୁଅ ବନ୍ଦ ହୋଇଯାଇଥିବା କୁହାଯାଇଛି ।

Comments are closed.