କେରଳରେ ଜଳ ପ୍ରଳୟ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ଥିରୁବନନ୍ତପୁରମ: କେରଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଇଡୁକି ଏବଂ କୋଟାୟାମ ଜିଲ୍ଲାରେ ଭୂସ୍ଖଳନ ଘଟିଛି। ବର୍ଷା ଜନିତ ଘଟଣାରେ ଏପର୍ଯ୍ୟନ୍ତ ମୋଟ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସରକାରୀ ସ୍ତରରେ ଏହା ନିଶ୍ଚିତ କରାଯାଇଛି। ରବିବାର ମଧ୍ୟ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଇତି ମଧ୍ୟରେ ଟ୍ରାଭାନକୋର ଦେବାସମ ବୋର୍ଡ ଭଗବାନ ଆୟାପ୍ପାଙ୍କ ଭକ୍ତମାନଙ୍କୁ ଅକ୍ଟୋବର ୧୭ ଏବଂ ୧୮ରେ ସାବରିମାଲା ମନ୍ଦିର ପରିଦର୍ଶନ ନକରିବାକୁ ଅନୁରୋଧ କରିଛି । କାରଣ ରାଜ୍ୟର ପଠାନମାଥିଟ୍ଟା ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି ​​ଏବଂ ପମ୍ବା ନଦୀରେ ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଶନିବାର ରାଜ୍ୟର କୋଟାୟାମ ଏବଂ ଇଡୁକି ଜିଲ୍ଲାରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ମୋଟ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ପାଞ୍ଚ ପିଲାଙ୍କ ସମେତ ମୋଟ ୧୩ ଜଣ ନିଖୋଜ ଥିବା ସୂଚନା ମିଳିଛି। ଏଥିରେ କୋଟାୟାମରେ ୧୨ ଜଣ ଏବଂ ଇଡୁକିରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

ପଠାନମାଥିଟ୍ଟା, କୋଟାୟାମ, ଏର୍ନାକୁଲମ୍, ଇଡୁକି, ଥ୍ରୀସୁର ଏବଂ ପାଲକ୍କଡ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ସାତଟି ଜିଲ୍ଲା- ଥିରୁବନନ୍ତପୁରମ୍, କୋଲାମ, ଆଲାପୁଝା, ମାଲାପୁରମ୍, କୋଜିକୋଡ୍ ଏବଂ ୱାୟାନାଡ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ପରିସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବାକୁ ସେନା, ନୌସେନା ଏବଂ ବାୟୁସେନାର ସହାୟତା ନିଆଯାଇଛି। ମି -୧୭ ଏବଂ ସାରଙ୍ଗ ହେଲିକପ୍ଟରଗୁଡିକୁ ଷ୍ଟାଣ୍ଡବାଇରେ ରଖାଯାଇଛି । ସାଉଥ୍ ଏୟାର କମାଣ୍ଡ ଅଧୀନରେ ଥିବା ସମସ୍ତ ବେସକୁ ହାଇ ଆଲର୍ଟ କରାଯାଇଛି।

Comments are closed.